ଆହୁରି ଦୁଇଦିନ ଗ୍ରୀଷ୍ମ ପ୍ରବାହ!
ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଗାମୀ ଦୁଇ ଦିନ ଏହି ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାଭାସ କରାଯାଇଛି ।
କେବଳ ଏତିକି ନୁହେଁ ଓଡ଼ିଶାର କେତେକ ଜିଲାରେ ପାଣିପାଗ ବିଭାଗ ପକ୍ଷରୁ ଲାଲ ସତର୍କତା ମଧ୍ୟ ଜାରି କରାଯାଇଛି ।
ବିଶେଷ କରି ପଶ୍ଚିମ ଓଡ଼ିଶାର ସ୍ଥିତି ଗମ୍ଭୀର ରହିଛି । ମେ ୨୭ ତାରିଖ (ବୁଧବାର) ପର୍ଯ୍ୟନ୍ତ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ଲାଲ ସତର୍କତା ମଧ୍ୟରେ ପାଣିପାଗ ବିଭାଗ ରଖିଛି ।
ତେବେ ମେ ୨୮ତାରିଖରୁ ଗ୍ରୀଷ୍ମ ପ୍ରବାହର ତୀବ୍ରତା କ୍ରମଶଃ ଖସିବାକୁ ଆରମ୍ଭ କରିବ ବୋଲି ବିଭାଗ ଅନୁମାନ କରୁଛି ।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଇଏମଡି ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଦିଆଯାଇଛି ।
ବିଶେଷ କରି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ ନ ବାହାରିବାକୁ କୁହାଯାଇଥିବାବେଳେ ବୃଦ୍ଧ, ବୟସ୍କ, ଶିଶୁ ଓ ରୋଗୀମାନେ ଏଥିପ୍ରତି ଅଧିକ ନଜର ଦେବାକୁ ହେବା ସହ ସ୍ୱାସ୍ଥ୍ୟ ସଚେତନ ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।
ସେହିପରି ଶରୀରରୁ ଅଧିକ ପରିମାଣରେ ଝାଳ ବାହାରି ଯାଉଥିବାରୁ ଅଧିକ ପାଣି ପିଇବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।