କମ ଯୋଗ୍ୟତା ଚାକିରି ପାଇଁ ଅଯୋଗ୍ୟ ଘୋଷିତ ହେବେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ
ଅଧିକ ଶିକ୍ଷତ ପ୍ରାର୍ଥୀଙ୍କୁ କମ ଯୋଗ୍ୟତାର ଚାକିରି ନିମନ୍ତେ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ।
ବେଳେବେଳେ ଅଧିକ ହେବା କୌଣସି ଏକ ନିର୍ଦ୍ଦିଷ୍ଟ ଚାକିରି ପାଇଁ ଅଯୋଗ୍ୟତା ପାଲଟି ଯାଇଥାଏ । ଦେଶରେ ବେକାରଙ୍କ ସଂଖ୍ୟା ବଢ଼ୁଥିବାବେଳେ ପିଏଚଡି ଧାରକଙ୍କ ସମେତ ଉଚ୍ଚ ଯୋଗ୍ୟତାସମ୍ପନ୍ନ ଯୁବବର୍ଗ ଗ୍ରୁପ ଡି ସରକାରୀ ଚାକିରି ପାଇଁ ପ୍ରତିଯୋଗିତା କରୁଛନ୍ତି ।
ଏହି ସମୟରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି କୌଣସି ଏକ ପଦ ପାଇଁ ଏକ ନିର୍ଦ୍ଦିଷ୍ଟ ସର୍ବାଧିକ ଯୋଗ୍ୟତାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥାଆନ୍ତି, ତେବେ ତାଙ୍କୁ ଚାକିରି ପାଇଁ ଅଯୋଗ୍ୟ ଘୋଷିତ କରାଯାଇପାରିବ । ଜଣେ ନିଯୁକ୍ତି ଦାତାଙ୍କ କ୍ଷେତ୍ରରେ ଠିକ୍ ଲୋକଙ୍କୁ ଠିକ ସ୍ଥାନରେ ନିଯୁ୍ତି ଦେବାର ଆବଶ୍ୟକତା ସର୍ବଦା ଉଚ୍ଚ ଯୋଗ୍ୟତାସମ୍ପନ୍ନ ଲୋକଙ୍କୁ ବୁଝାଏ ନାହିଁ ବୋଲି ବିଚାରପତି କହିଛନ୍ତି । ଏକ ପଦ ନିମନ୍ତେ ଯୋଗ୍ୟତା ପାଇଁ ଏକ ସୀମା ନିର୍ଦ୍ଦାରଣ କରିବା ତଥା ଉଚ୍ଚ ଡିଗ୍ରୀଧାରୀମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସରକାରଙ୍କ ନିଷ୍ପତିରେ କୌଣସି ଭୁଲ ନାହିଁ ।
ପୀଠ କହିଛନ୍ତି ଯେ ଉଚ୍ଚ ଯୋଗ୍ୟତା ସୀମା ସ୍ଥିର କରିବା ଯୁକ୍ତିଯୁକ୍ତ ଏବଂ ନ୍ୟାୟପୂର୍ଣ୍ଣ । ଏହାର ଉଦେ୍ଦଶ୍ୟ ହେଉଛି ଯେଉଁମାନେ ଜୀବନର କୌଣସି ପ୍ରତିକୂଳ ପରିସ୍ଥିତି ଯୋଗୁଁ ଉଚ୍ଚଶିକ୍ଷା ହାସଲ କରିପାରି ନାହାଁନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ।
ଏକ ଆଦର୍ଶ ନିଯୁକ୍ତିଦାତା ଭାବେ ରାଜ୍ୟ ଏପରି ବ୍ୟକ୍ତିଙ୍କ ପାଇଁ କିଛି ବର୍ଗର ପଦ ସଂରକ୍ଷଣ କରିବାରେ ସମ୍ପୂର୍ଣ୍ଣ ଯଥାର୍ଥ, ଯାହାଦ୍ୱାରା ସେମାନଙ୍କୁ ଅଧିକ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀଙ୍କ ସହ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ । ଯଦି ସେଭଳି ହେବ ତେବେ ସାଧାରଣତଃ ସେମାନେ ଚାକିରି ପାଇଁ ମନୋନୀତ ହେବା ସମ୍ଭାବନା ବହୁତ କମ ରହିବ ।
ଯଦିଓ ଆମେ ପ୍ରତିବାଦୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଛୁ, ତେବେ ଆଇନର ପ୍ରଣୟନ ସ୍ଥିତିକୁ ଦୃଷ୍ଟିରେ ରଖି ଆମ ପାଖରେ ବିବାଦିତ ରାୟରେ ହସ୍ତକ୍ଷେପ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।