ହାଇକୋର୍ଟ ସମ୍ମୁଖ ଗାଡ଼ିରେ ନିଆଁ ଲାଗିବା ଘଟଣା ଅଭିଯୁକ୍ତ ମହିଳାଙ୍କୁ ଥାନାକୁ ନେଲା ପୁଲିସ
ମଙ୍ଗଳବାର ସକାଳେ ହାଇକୋର୍ଟ ପାଚେରି କଡ଼ରେ ଘଟିଥିବା ଅଗ୍ନିକାଣ୍ଡରେ ଜଣେ ମହିଳା ନିଆଁ ଲଗାଉଥିବା ବିଷୟ ପୁଲିସ ଓ ସାଧାରଣ ଲୋକଙ୍କ ନଜରକୁ ଆସିଛି ।
ମହିଳାଙ୍କ ସହିତ ଏକ ନାବାଳକ ପୁଅ ମଧ୍ୟ ରହିଛି ।
ପେଟ୍ରୋଲ କିଣି ଏକ ୫ବର୍ଷର ନାବାଳକକୁ ଧରି ମହିଳାଜଣକ ଆସିଥିଲେ । ପରେ ସାଥୀରେ ଆଣିଥିବା କପଡ଼ାରେ ନିଆଁ ଲଗାଇ ହାଇକୋର୍ଟ ପାଚେରି ଭିତର ପଟକୁ ପକାଇବା ଦୃଶ୍ୟ ଭିଡ଼ିଓରେ ରହିଥିବା ଅନେକେ ଦେଖିଛନ୍ତି । ଘଟଣା ଅଭିଯୋଗରେ ଲାଲବାଗ ଥାନା ପୁଲିସ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇ ଯାଇଛି ।
ମହିଳାଙ୍କ ନାମ ମୀନତି ସାହୁ ଓ ତାଙ୍କ ଘର ଜଗତସିଂହପୁର ଜିଲା ବିରିଡ଼ି ଅଂଚଳର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ସକାଳେ ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଏକାଧିକ ଗାଡ଼ିରେ ଅଚାନକ ନିଆଁ ଲାଗିବା ଦେଖି ଅନେକେ ବିସ୍ମିତ ହୋଇଯାଇଥିଲେ ।
ଦେଖାଯାଇଥିଲା ଯେ ଦୁଇଟି ସ୍କୁଟର, ଗୋଟିଏ ସ୍କର୍ପିଓ ସହ ଏକ ଇଭି ଗାଡିରେ ଅଚାନକ ନିଆଁ ଲାଗିଯାଇଥିଲା । ହାଇକୋର୍ଟ ସମ୍ମୁଖରେ ଏଭଳି ଏକ ଅଗ୍ନିକାଣ୍ଡ ସାଧାରଣଙ୍କୁ କିଛି ସମୟ ପାଇଁ ଭୟଭୀତ କରି ପକାଇଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହା ଜଣା ପଡ଼ି ନଥିଲା ।
ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘଟଣା ପଛରେ କାହାର ହାତ ରହିଛି ତାହା ପୁଲିସ ଜାଣିପାରି ନଥିଲା ।
ପରେ ଏକ ଭିଡ଼ିଓ ଫୁଟେଜରୁ ପୁଲିସ ଜାଣିପାରିଥିଲା ଯେ ଜଣେ ମହିଳା ଏକ କପଡ଼ାରେ ନିଆଁ ଲଗାଇ ହାଇକୋର୍ଟ ପାଚେରି ଭିତରକୁ ପକାଉଛନ୍ତି ।
ଯାହାକୁ ଆଧାର କରି ପୁଲିସ ମୀନତି ସାହୁ ନାମକ ଜଣେ ମହିଳାଙ୍କୁ ଥାନାକୁ ନେଇ ପଚରଉଚରା କରୁଥିବା ଜଣାପଡ଼ିଛି ।