ଭାରତ-ଆଫଗାନିସ୍ତାନ ଟେଷ୍ଟ
ଭାରତ ୫୬୪/୮, ଗିଲ ୧୨୬ , ରାହୁଲ ୧୦୦
ପଞ୍ଜାବର ନ୍ୟୁ ଚଣ୍ଡିଗଡ଼ ଠାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ମଧ୍ୟ ଭାରତର ପ୍ରାଧାନ୍ୟତା ଦେଖିବାକୁ ମିଳିଛି ।
ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୬୪ ରନ ସଂଗ୍ରହ କରି ଡିକଲାର ଘୋଷଣା କରିଛି ।
ଭାରତ ପ୍ରଥମ ଇନିଂସରେ ଅଧିନାୟକ ଶୁଭମନ ଗିଲଙ୍କ ୧୨୬, ଅଭିଜ୍ଞ କେ.ଏଲ.ରାହୁଲଙ୍କ ୧୦୦, ସାଇ ସୁଦର୍ଶନ ଓ ଋଷଭ ପନ୍ତଙ୍କ ୮୧ ରନ ଓ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ୫୨ ରନ୍ ବଳରେ ୫୬୪ ରନର ବିଶାଳ ସ୍କୋର କରିଛି ।
ଆଫଗାନିସ୍ତାନ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଦ୍ରୁତ ବୋଲର ମହମ୍ମଦ ସଲିମ ସର୍ବାଧିକ ୬ଟି ୱିକେଟ ଅକ୍ତିଆର କରିଥିବାବେଳେ ଜାଇଉର ରହମାନ ଓ ହସମୁତଲ୍ଲା ସାହିଦି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ଅନ୍ୟପଟେ ଦ୍ୱିତୀୟ ଦିନର ଦ୍ୱିତୀୟ ସେସନ ସୁଦ୍ଧା ଭ୍ରମଣକାରୀ ଆଫଗାନିସ୍ତା ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି ।
ଓପନର ଅବଦୁଲ ମଲ୍ଲିକ ୧୬ ରନ କରି ପ୍ରଥମ ଟେଷ୍ଟ ଖେଳୁଥିବା ବୋଲିଂ ଅଲରାଉଣ୍ଡର ମାନବ ସୁଥାରଙ୍କ ଦ୍ୱାରା ମହମ୍ମଦ ସିରାଜଙ୍କ ହାତରେ କ୍ୟାଚ ଆଉଟ ହୋଇଥିବାବେଳେ ସେଦିକୁଲ୍ଲା ଅଟଲ ମାତ୍ର ୧୭ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି ।
ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଆଫାଗାନିସ୍ତାନ ଦୁଇଟି ୱିକେଟ ହରାଇ ୫୪ ରନ କରିପାରିଛି ।