କର୍ମଚାରୀଙ୍କ ବଦଳି ଓ ରୋଟେସନ ପ୍ରକ୍ରିୟା : ଶୀଘ୍ର ଶେଷ କରିବାକୁ ନିର୍ଦେଶ
ରାଜସ୍ୱ ପ୍ରଶାସନ ଅଧିନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି ।
ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲାପାଳଙ୍କୁ ଚଠି ଦେଇଛନ୍ତି । ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶ ଅନୁଯାୟୀ ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର, ସିନିୟର ରେଭେନ୍ୟୁ ଆସିଷ୍ଟାଂଟ, ଜୁନିୟର ରେଭେନ୍ୟୁ ଆସିଷ୍ଟାଂଟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର, ରେଭେନ୍ୟୁ ଇନ୍ସପେକ୍ଟର, ଆସିଷ୍ଟାଂଟ ରେଭେନ୍ୟୁ ଇନ୍ସପେକ୍ଟର, ଅମିନ ପ୍ରମୁଖ କର୍ମଚାରୀ ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ବଦଳି ଓ ରୋଟେସନ କରିବାକୁ ନିର୍ଦେଶ ହୋଇଛି ।
ଜିଲାପାଳ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଉଦେ୍ଦଶ୍ୟରେ ଏହି ନିର୍ଦେଶ ଜାରି କରାଯାଇଛି । ତେବେ ବିଭିନ୍ନ ଜିଲାରେ ବକେୟା ଥିବା ବଦଳିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲାପାଳଙ୍କୁ ଚଳିତ ବଦଳି ଋତୁ ମଧ୍ୟରେ ଅର୍ଥାତ ୧୫ଜୁନ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ବଦଳି ଓ ରୋଟେସନ ପ୍ରକ୍ରିୟା ସମାପ୍ତ କରିବାକୁ କଡ଼ା ନିର୍ଦେଶ ଦିଆଯାଇଛି । ତିନିବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବଦଳି ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦେଶାବଳୀ ଅନୁସାରେ ଅନୁପାଳନ କରିବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।
ବଦଳି ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଦୀୟ ବିସ୍ତୃତ ରିପୋର୍ଟ ତୁରନ୍ତ ବିଭାଗକୁ ପଠାଇବାକୁ ନିର୍ଦେଶ ହୋଇଛି ।