କାଳବୈଶାଖୀ : ୧୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ
କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ହ୍ରାସ ପାଇଛି ।
ଉପକୂଳ ଓଡ଼ିଶାରେ ତାପମାତ୍ରା ୪ରୁ ୫ଡିଗ୍ରୀ ଏବଂ ଉତର ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ତଳକୁ ଖସି ଆସିଛି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୦.୨ଡିଗ୍ରୀ ହୋଇଥିବା ସୂଚନା ମିଳିଛି ।
ଗଜପତି ଜିଲାରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡ଼ରେ ଡଙ୍ଗା ବୁଡ଼ିବାରୁ ଦୁଇଜଣ, ବଲାଙ୍ଗୀରରେ ବଜ୍ରପାତରେ ଜଣଙ୍କର ମୃତ୍ୟ ହୋଇଛି । ଗଜପତି, କେନ୍ଦ୍ରାପଡ଼ା ଓ ଯାଜପୁରରେ ପ୍ରବଳ ପବନ ଯୋଗୁଁ ଅନେକେ ସ୍ଥାନରେ ଗଛ ପଡ଼ିବା ଭଳି ଘଟଣା ସାମ୍ନାକୁ ଆସିଛି ।
ଚିଲିକାରେ ସର୍ବାଧିକ ୬ସେମି ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩ରୁ ୪ଡିଗ୍ରୀ ହ୍ରାସ ପାଇବ । ଏହା ପରେ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତନ ହେବ ନାହିଁ । ତେବେ ସୋମବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲାର କେତେକ ସ୍ଥାନରେ ଅପରାହ୍ନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ବର୍ଷା ଓ ଘଂଟାପ୍ରତି ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ (କମଳା ସତର୍କତା) ଜାରି କରାଯାଇଛି ।
ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ । ପରବର୍ତୀ ୨୪ଘଂଟାରେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଝାରସୁଗୁଡ଼ାରେ କାଳବୈଶାଖୀ ପ୍ରଭାବ ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ଆସନ୍ତାକାଲି ଅର୍ଥାତ ୫ତାରିଖ ପର୍ଯ୍ୟନ୍ତ ଉତର ଓଡ଼ିଶା ଓ ସଂଲଗ୍ନ ଅଂଚଳରେ ଘଂଟାପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।