୧୪, ୧୫ରେ ଲଘୁଚାପ !
ବଙ୍ଗୋପସାଗରରେ ମେ ଦ୍ୱିତୀୟ ସପ୍ତାହ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଅନେକ ଅନ୍ତର୍ଜାତୀୟ ମଡେଲ ଅକଳନ କରିଛନ୍ତି ।
ଏହି ଲଘୁଚାପ ବାତ୍ୟାର ରୂପ ନେବ ବୋଲି କିଛି ମଡେଲ ଆକଳନ କରିଛନ୍ତି । ବିଭିନ୍ନ ମଡେଳର ଆକଳନକୁ ବିଶ୍ଲେଷଣ କରି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜିଏଫଏସ ଏବଂ ଇସିଏମଡବ୍ଲ୍ୟୁଏଫ ଉଭୟ ମଡେଲ ଏବେ ଏକମତ ଯେ ମେ ମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ପ୍ରଣାଳୀ ସୃଷ୍ଟି ହେବ ।
ଆକଳନ ଅନୁସାରେ ମେ ୧୧ରୁ ୧୩ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନସାଗରରେ ଏକ ପ୍ରାଥମିକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତୀ ପର୍ଯ୍ୟାୟରେ ଅର୍ଥାତ ମେ ୧୪ ଓ ୧୫ତାରିଖ ବେଳକୁ ଲଘୁଚାପର ରୂପ ନେବ । ତଥାପି ଜିଏଫଏସ (ଆଗ୍ରେସିଭ) ମଡେଲ ଏକ ଶକ୍ତିଶାଳୀ ବାତ୍ୟାର ଚିତ୍ର ଦେଖାଉଥିବାବେଳେ ଇସିଏମଡବ୍ଲ୍ୟୁଏଫ (କନଜରଭେଟିଭ) ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି ।
ମେ ୨ ତାରିଖ ପରୁ ବାୟୁମଣ୍ଡଳୀୟ ପରିବେଶରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ପରିଲକ୍ଷିତ ହୋଇଛି । ସମୁଦ୍ରପୃଷ୍ଠର ତାପମାତ୍ରା ୩୦-୩୧ଡିଗ୍ରୀକୁ ବୃଦ୍ଧି ପାଇଛି । ଯାହା ପୂର୍ବାପେକ୍ଷା ୧ଡିଗ୍ରୀ ସେଲସିୟସ ଅଧିକ ଏବଂ ବାତ୍ୟା ପାଇଁ ଅତ୍ୟନ୍ତ ଅନୁକୂଳ । ସବୁଠାରୁ ବଡ଼ ପରିବର୍ତନ ହେଉଛି ଏମଜେଓର ସ୍ଥିତି, ଯାହା ଫେଜ-୨ରୁ ବାହାରି ଫେଜ-୩ରେ ଅଧିକ ସକ୍ରିୟ ହେଉଛି । ଏହା ବଙ୍ଗୋପସାଗରରେ ଊର୍ଦ୍ଧମୁଖୀ ପବନ ଓ ମେଘମାଳା ସୃଷ୍ଟିରେ ସହାୟକ ହେବ । ଆସନ୍ତା ୨୪ରୁ ୪୮ଘଂଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ।
ଏହି ସମୟ ମଧ୍ୟରେ ଯଦି ଭର୍ଟିକାଲ ୱିଣ୍ଡ ସିଅର କମିବା ଜାରି ରହେ ଏବଂ ଏମଜେଓ ଫେଜ-୩ର ତୀବ୍ରତା ବୃଦ୍ଧି ପାଏ, ତେବେ ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ସଂକେତ ମିଳିବ । ପରିସ୍ଥିତି ମେ ୧୦ତାରିଖ ସୁଦ୍ଧା ଅଧିକ ସ୍ପଷ୍ଟ ହେବ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ନାହିଁ । ଏଭଳି କିଛି ପ୍ରଣାଳୀ ସୃଷ୍ଟି ହେଲେ ଆଗୁଆ ବୁଲେଟିନ ଜାରି ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ଗୁଜବରେ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।