ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ଲାଗି ରହିଛି ।
ଏହାରି ମଧ୍ୟରେ ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ, ବିଦ୍ୟୁତ୍ ଏବଂ ସାର କ୍ଷେତ୍ର ସହିତ ଜଡ଼ିତ ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୀତାରମଣ, ହରଦୀପ ସିଂ ପୁରୀ, ଜେପି ନଡ୍ଡାଙ୍କ ସହିତ କେନ୍ଦ୍ର ମନ୍ତ୍ରିପରିଷଦର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।
ଆଲୋଚନାରେ ଦେଶବ୍ୟାପୀ ନିରନ୍ତର ଯୋଗାଣ, ସ୍ଥିର ଲଜିଷ୍ଟିକ୍ସ ଏବଂ ଅତ୍ୟାବଶ୍ୟକୀୟ ସମ୍ପଦର ଦକ୍ଷ ବଂଟନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ପଶ୍ଚିମ ଏସିଆରେ ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି, ଯାହା ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟ ମାର୍ଗକୁ ବାଧାପ୍ରାପ୍ତ କରିଛି । ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲଦ୍ୱାରା ମିଳିତ ସାମରିକ ଆକ୍ରମଣରେ ୮୬ବର୍ଷୀୟ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ହତ୍ୟା ପରେ ଉତେଜନା ବୃଦ୍ଧି ପାଇଥିଲା ।
ପ୍ରତିଶୋଧ ସ୍ୱରୂପ ଇରାନ ଅନେକ ଉପସାଗରୀୟ ଦେଶରେ ଇସ୍ରାଏଲୀ ଏବଂ ଆମେରିକୀୟ ସମ୍ପତିକୁ ଟାର୍ଗେଟ୍ କରିଥିଲା । ଯାହା ଜଳପଥରେ ଆହୁରି ବାଧା ସୃଷ୍ଟି କରିଥିଲା ଏବଂ ଅ ନ୍ତର୍ଜାତୀୟ ଶକ୍ତି ବଜାର ସହିତ ବିଶ୍ୱ ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିଥିଲା ।