ଆସନ୍ତା କାଲି ଓଡ଼ିଶା ବନ୍ଦ
ସବୁ ଜିଲାପାଳଙ୍କୁ ସତର୍କ ରହିବାକୁ ଚିଠି
ଆସନ୍ତା କାଲି ବୁଧବାର ଓଡ଼ିଶା ବନ୍ଦର ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ।
ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଯୋଗାଇ ଦିଆଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିବାବେଳେ ପୂର୍ବରୁ ଏସଇଆରଟି ନିର୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣ ସହ ନିର୍ଦେଶକଙ୍କୁ ନିଲମ୍ବିତ କରାଯାଇଛି ।
ଏଥିସହ ଏହି ପୁସ୍ତକ ଛପା ବାବଦକୁ ରାଜ୍ୟ ସରକାରଙ୍କ ପ୍ରାୟ ୧୬୫ କୋଟି ଟଙ୍କା ପାଣିରେ ପଡ଼ିଛି ।
ଏହାକୁ ପ୍ରସଙ୍ଗ କରି ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ପକ୍ଷରୁ ସୃଷ୍ଟି ଚାପ ହେତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି ।
ଏଣୁ ଏଥିପାଇଁ ଏଥିପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଏହାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି କାଏମ ରଖିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଛି ।
କାରଣ ଏହି ବନ୍ଦବେଳେ ଜରୀରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ସେବା,ଡାକ ସେବା, ପେଟ୍ରୋଲ ପମ୍ପରେ ଯାନବାହାନକୁ ପେଟ୍ରୋଲ ଓ ଡିଜେଲ ଯୋଗାଇବା ଯେଭଳି ବ୍ୟାହତ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଚିଠିରେ ଦର୍ଶାଯାଇଛି ।
ଏଥିସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ କଡ଼ା ନିର୍ଦେଶନାମା କରାଯାଇଛି ।
ସେହିପରି ସମସ୍ତ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବାକୁ ଚିଠିରେ ଉଲ୍ଲେଖ ରହିଛି ।








