ପାକିସ୍ତାନକୁ ଭାରତୀୟ ମିସାଇଲ ଭୟ
ଭାରତ ୧୨ ହଜାର କି.ମି. ଦୂରତାର କ୍ଷେପଣାସ୍ତ୍ର ବିକଶିତ କରୁଛି
କିଛି ମାସ ତଳେ ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ବିରୋଧରେ ଗତ ୨୦୨୫ ମଇରେ ଭାରତ ପକ୍ଷରୁ ଅପରେସନ ସିନ୍ଦୁର କରାଯାଇଥିଲା । ଏଥିରେ ଭାରତର ବାୟୁସେନାର ଅତ୍ୟାଧୁନିକ ସୁଖୋଇ-୩୦ ଏମକେରୁ ବ୍ରହ୍ମୋସ ମିସାଇଲ ମାଡ଼ କରାଯରାଇଥିଲା । ଏଥିରେ ପାକିସ୍ତାନରେ ଥିବା ଏକାଧିକ ଆତଙ୍କୀ ଲଂଚପ୍ୟାଡ୍ ଧ୍ୱଂସ ହେବା ସହ ଶତାଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ସେବେଠାରୁ ଭାରତୀୟ ମିସାଇଲକୁ ପାକିସ୍ତାନ ଭୟ କରିଆସୁଛି ।
ଏବେ ପାକିସ୍ତାନ ଅଭିଯୋଗ କରିଛି ଯେ, ଭାରତ ଗୁପ୍ତରେ ୧୨ ହଜାର କି.ମି. ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ନିର୍ମାଣ କରୁଛି । ଭାରତ ୧୨ ହଜାର କି.ମିରୁ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ କରୁଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି । ଅଗ୍ନି-୫ର ନିକ୍ଷେପ କ୍ଷମତା ଏବେ ୮ ହଜାର କି.ମି. ରହିଛି । ତେବେ ଭାରତ ଆଉ ପାଦେ ଆଗକୁ ଯାଇ ଅଗ୍ନି-୬ ନାମକ ଏକ ତ୍ରି-ସ୍ତରୀୟ ଆନ୍ତଃମହାଦେଶୀୟ ମିସାଇଲ ବିକଶିତ କରୁଛି ଯାହା ୧୨ ହଜାର କି.ମି. ପର୍ଯ୍ୟନ୍ତ ମାଡ଼ କରିବାର କ୍ଷମତା ରଖୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି ।
ସେହିପରି ଭାରତ ତା’ର ଅତ୍ୟାଧୁନିକ କେ-୫ ବୁଡ଼ାଜାହାଜରୁ ୫ ହଜାରରୁ ୮ ହଜାର କି.ମି. ପର୍ଯ୍ୟନ୍ତ ବାଲିଷ୍ଟିକ ମିସାଇଲ ବିକଶିତ କରିସାରିଛି । ସମୁଦ୍ର ଗର୍ଭରୁ ଭାରତ ଏହି କେ-୫ ନିୟୋଜନ କରି ୟୁରୋପ, ଋଷ, ଇସ୍ରାଏଲ ଏବଂ ଆମେରିକାର ପ୍ରଶାନ୍ତ ମହାସାଗରୀୟ ଅଂଚଳଗୁଡ଼ିକୁ ସହଜରେ ଟାର୍ଗେଟ କରିପାରିବ ।
ଆମେରିକା ଜାତୀୟ ଗୁଇନ୍ଦା ନିର୍ଦେଶକ ତୁଳସୀ ଗବାର୍ଡଙ୍କ ୨୦୨୬ ବାର୍ଷିକ ବିପଦ ମୂଲ୍ୟାଙ୍କନ ରିପୋର୍ଟ ପରେ ପାକିସ୍ତାନ ଭାରତ ବିରୋଧରେ ଏଭଳି ଅଭିଯୋଗ ବାଢ଼ିଛି ।