ବଢ଼ିବ ପେଟ୍ରୋଲ, ଡିଜେଲ ଦର!
ବିଧାନସଭା ନିର୍ବାଚନ ପ୍ରାୟ ଶେଷ ହୋଇଛି । ତେବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ସାଧାରଣରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।
ନିର୍ବାଚନ ଫଳ ପ୍ରକାଶ ପରେ ତେଲ ଦର ବୃଦ୍ଧି ପାଇବ ବୋଲି ବିଭିନ୍ନ ରେଟିଂ ଏଜେନ୍ସି ଓ ବ୍ରୋକରେଜ ସଂସ୍ଥା କରିଥିବା ଆକଳନକୁ କେନ୍ଦ୍ର ସରକାର ଦୃଢ଼ ଭାବେ ଖଣ୍ଡନ କରିଥିଲେ ।
ଏବେ ଏହି ବିତକର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସାମଲ ହୋଇଛି । ସରକାରଙ୍କୁ ପେଟ୍ରୋଲ ଦର ନିଶ୍ଚିତ ବଢ଼ାଇବାକୁ ପଡ଼ିବ ବୋଲି ଆଇଏମଏଫର ଜଣେ ଅଧିକାରୀ କହିଛନ୍ତି । ଚଳିତବର୍ଷ ଫେବୃୟାରୀ ଶେଷ ସପ୍ତାହରେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ବେଳକୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୭୦ ଡଲାର ଥିଲା ।
ଯୁଦ୍ଧ ପରେ ତାହା ୧୦୦ ଡଲାରରୁ ଉପର ସ୍ତରରେ ରହିଛି । କିଛି ସମୟ ତାହା ୧୨୬ ଡଲାର ଭଳି ସ୍ତରକୁ ଚାଲି ଯାଇଥିଲା ।
ଏଭଳି ଉଚ୍ଚ ସ୍ତରରେ ଅଶୋଧିତ ତେଲ ରହିଲେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ସରକାର ବେଶି ଦିନ ଅଟକାଇ ପାରିବେ ନାହିଁ । ସରକାରଙ୍କ ପାଖରେ ଆର୍ଥିକ ପ୍ରତିବନ୍ଧକ ରହିଛି ବୋଲି ଆଇଏମଏଫର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ନିର୍ଦେଶକ କ୍ରିଷ୍ଣା ଶ୍ରୀନିବାସନ କହିଛନ୍ତି ।
ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ କମ କରିଛନ୍ତି । ସାର ଉପରେ ସବସିଡି ଦେଉଛନ୍ତି । ଏହା କିଛି ଦିନ ଚାଲିପାରବ । କିନ୍ତୁ ଅଧିକ ଦିନ ଚାଲିବା ପାଇଁ ଆର୍ଥିକ ସୁବିଧା ନାହିଁ । ଆଗକୁ ଏମିତି ଦିନ ଆସିବ, ସରକାରଙ୍କୁ ନିଶ୍ଚିତ ରୂପେ ଦରବୃଦ୍ଧି ପାଇଁ ଅନୁମତି ଦେବାକୁ ହେବ ।
ଭାରତ ପାଇଁ ଏହି ନୀତି ପ୍ରଯୁଜ୍ୟ ହେବ ବୋଲି ସେ କହିଥିଲେ ।