ରାଜ୍ୟସଭା ପିଟିସନ କମିଟିର ନୂଆ ଅଧ୍ୟକ୍ଷ ରାଘାବ ଚଢ଼ା
ଆମ ଆଦମୀ ପାର୍ଟି (ଆପ) ଛାଡ଼ି ସଂପ୍ରତି ଭାରତୀୟ ଜନତା ପାର୍ଟିି (ବିଜେପି)ରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି ।
ତାଙ୍କୁ ରାଜ୍ୟସଭାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟି, ପିଟିସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଏହି ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି ।
ନୂତନ କମିଟି ମେ ୨୦ ତାରିଖରୁ କାର୍ଯ୍ୟକାରୀ ହୋଇଛି । ପୁନର୍ଗଠିତ କମିଟିରେ ଗୃହର ମୋଟ ୧୦ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ରାଘାବ ଚଢ଼ାଙ୍କ ବ୍ୟତୀତ ଏହି କମିଟିରେ ଅନ୍ୟ ସଦସ୍ୟମାନେ ହେଲେ ହର୍ଷ ମହାଜନ, ଗୁଲାମ ଅଲ୍ଲୀ, ଶମ୍ଭୁ ଶରଣ ପଟେଲ, ମୟଙ୍କ କୁମାର ନାୟକ, ମସ୍ତାନ ରାଓ ଯାଦବ, ଜେବି ମାଥେର ହିଶାମ, ଶୁଭାଶିଷ ଖୁଂଟିଆ, ରଙ୍ଗାବରା ନରଜାରୀ ଏବଂ ସନେ୍ଦାଷ କୁମାର ପି ।
ଅନ୍ୟପକ୍ଷରେ ଅନ୍ୟ ଏକ ବିଜ୍ଞପ୍ତୀ ଅନୁଯାୟୀ କର୍ପୋରେଟ ଆଇନ (ସଂଶୋଧନ) ବିଲ, ୨୦୨୬ର ଯୁଗ୍ମ କମିଟିର ସଦସ୍ୟ ଭାବେ ରାଜ୍ୟସଭା ସଦସ୍ୟ ଡକ୍ଟର ମେନକା ଗୁରୁସ୍ୱାମୀଙ୍କୁ ମନୋନୀତ କରାଯାଇଛି । ସଂସଦୀୟ ପିଟିସନ (ଆବେଦନ) କମିଟିକୁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ପ୍ରଭାବଶାଳୀ ସଂସ୍ଥା ଭାବେ ବିବେଚନା କରାଯାଏ । ଏହାର ମୁଖ୍ୟ କାର୍ଯ୍ୟ ହେଉଛି ସାଧାରଣ ଲୋକଙ୍କ ଦ୍ୱାରା ରାଜ୍ୟସଭାରେ ଦାଖଲ ହୋଇଥିବା ଆବେଦନଗୁଡ଼ିକୁ ଯାଂଚ କରିବା ଏବଂ ସେଗୁଡ଼ିକ ଉପରେ ବିଚାର କରିବା ।
ଯେକୌଣସି ନାଗରିକ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଂସଦର ଦୃଷ୍ଟି ଆକର୍ଷଣ କରିବାକୁ ଏହି କମିଟି ନିକଟରେ ଆବେଦନ ଦାଖଲ କରିପାରିବେ ।
ରାଘବ ଚଢ଼ାଙ୍କ ନେତୃତ୍ୱରେ ଗଠିତ ଏହି କମିଟି ଏହି ଆବେଦନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଗୃହରେ ନିଜର ରିପୋର୍ଟ ଏବଂ ଆବଶ୍ୟକୀୟ ସୁପାରିସ ଉପସ୍ଥାପନ କରିବ ।