ସାଲେପୁର ଗଣଦୁଷ୍କର୍ମ : ୫ ଗିରଫ
ଆଉ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି
କଟକ ଜିଲା ସାଲେପୁର ବ୍ଲକର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଚଳନ୍ତା କାରରୁ ଉଠାଇ ଆଣି ଗଣଦୁଷ୍କର୍ମ କରିଥିବା ମାମଲାରେ ଗୁରୁବାର ପୁଲିସକୁ ସଫଳତା ମିଳିଛି ।
ଏହି ଘଟଣାରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ସଂଶ୍ଲିଷ୍ଟ ଥିବା ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।
ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଂଚଳ ଏସପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଥିପାଇଁ ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଗ୍ରାମାଂଚଳ ଏସପି ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ଗତକାଲି ବୁଧବାର ଅଗଷ୍ଟ ୧୨ ତାରିଖରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାରରେ କେନ୍ଦ୍ରାପଡ଼ାରୁ ସାଲେପୁରକୁ ଯାଉଥିଲେ ।
ବାଟରେ ତାଙ୍କ କାରକୁ ୪ରୁ ୬ ଜଣ ଯୁବକ ଅଟକାଇଥିଲେ । କାରଟି ଅଟକିଯିବା ପରେ କାର ଭିତରୁ ଯୁବତୀଙ୍କୁ ଟେକି ନେଇ ସେମାନେ ଗଣଦୁଷ୍କର୍ମ କରିଥିଲେ ।
ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିବାବେଳେ ଆଜି ଗୁରୁବାର ୧୩ ତାରିଖରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।








