ସମ୍ବଲପୁର : ଅଂଶୁଘାତରେ ମୃତ୍ୟୁ ସନେ୍ଦହ
ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତଜନିତ ସନେ୍ଦହ କରାଯାଉଛି ।
ମୃତକ ଜଣକ ହେଉଛନ୍ତି ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଝାଁକରପାଲି (ରସିଆପାଲି) ଅଂଚଳର ଜଣେ ଶ୍ରମିକ ବିଶ୍ୱଜିତ ସାହୁ (୪୪) । ସୂଚନା ଅନୁସାରେ ଶନିବାର ସକାଳ ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ବିଶ୍ୱଜିତ କଂକ୍ରିଟ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ ।
ସେ ସେଠାରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଘରକୁ ନିଆଯାଇଥିଲା ଏବଂ ପରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।
ପରିବାର ଲୋକଙ୍କ ବକ୍ତବ୍ୟ ଯେ ପ୍ରବଳ ଖରା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହା ଏକ ଅଂଶଘାତ ଜନିତ ମୃତ୍ୟୁ କି ନୁହେଁ ତାହା ନେଇ ଡାକ୍ତରୀ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ଡାକ୍ତରଖାନା ପକ୍ଷରୁ ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଛି ।