ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସମେତ ୭ ଗିରଫ
ବ୍ୟାସନଗର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା
ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସମେତ ୭ ଗିରଫ
ଗତ ରବିବାର ଯାଜପୁର ଜିଲା କୋରେଇ ଥାନା ଫାଜାଲପୁର ମୌଜାରେ ବେଆଇନ ମାଟି ଖୋଳୁଥିବା ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ।
ଏକ ପୋଖରୀରୁ ମାଟି ଉତୋଳନ ହେଉଥିିବା ଖବର ପାଇ ଶନିବାର ପୂର୍ବାହ୍ନରେ ବ୍ୟାସନଗର ତହସିଲଦାର ଶ୍ରୀ ପଣ୍ଡା ଦୁଇ ଆରଆଇଙ୍କ ସମେତ ସେଠାରେ ଚଢ଼ଉ କରିଥିଲେ ।
ମୀନାବଜାର ନିକଟରେ ଉକ୍ତ ପୋଖରୀରୁ ମାଟି ନେଇ ଆସୁଥିବା ଟ୍ରାକ୍ଟରକୁ ତହସିଲଦାର ଶ୍ରୀ ପଣ୍ଡା ଅଟକାଇବାକୁ ଉଦ୍ୟମ କଲାବେଳେ ଚାଳକ ତାଙ୍କୁ ଧକ୍କା ଦେଇଥିଲା । ସେ ତଳେ ପଡ଼ିଯାଇଥିଲାବେଳେ ଟ୍ରାକ୍ଟର ଚକା ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା ।
ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା କାରଣରୁ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ; ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣାରେ ଗତ କାଲି ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେେଳେ ବେଆଇନ ମାଟି ଖୋଳାରେ ଲାଗିଥିବା ଦୁଇଟି ଜେସିବି ଓ ୫ଟି ଟ୍ରାକ୍ଟରକୁ ପୁଲିସ ଜବତ କରିଥିଲା ।
ଘଟଣାକୁ ନେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ କଳିଙ୍ଗନଗର ଉପଜିଲ୍ଲାପାଳ ସପନ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ ପହଂଚିଥିଲେ ।
ରବିବାର ଏହି ଘଟଣାରେ ସମ୍ପୃକ୍ତ ଘଟଣାରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରର ମାଲିକ ଓ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ୫ ଜଣ ଏଭଳି ୭ ଜଣଙ୍କୁ ପୁଲିସ ଗିରଫ କରିଛି ।