‘ଅନୁପ୍ରବେଶକାରୀଙ୍କୁ ରାଜ୍ୟ ପୁଲିସ ଗିରଫ କରି ବିଏସଏଫକୁ ଦେବ’ ନୂଆ ଆଇନ ଲାଗୁ ପାଇଁ ଶୁଭେନ୍ଦୁଙ୍କ ଘୋଷଣା
୨୦୨୬ ମସିହା ଭୋଟ ପୂର୍ବରୁ ଅନୁପ୍ରବେଶକାରୀ ପ୍ରସଙ୍ଗ ନେଇ ଭୋଟ ପ୍ରଚାରକୁ ବିଜେପି ଜୋରଦାର କରିଥିଲା ।
ଏହି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହାଙ୍କ ସହ ରାଜ୍ୟ ଓ କେନ୍ଦ୍ରର ବହୁ ବିଜେପି ନେତା ନେତ୍ରୀ ଅଂଟା ଭିଡ଼ିଥିଲେ । ସଂପ୍ରତି ଭୋଟ ସରିଛି, ତେଣୁ ଏହି ବିଷୟକୁ ରାଜ୍ୟ ବିଜେପି ବିଶେଷ ଭାବେ ଗୁରୁତ୍ୱ ଦେଇ ଅଂଟା ଭିଡ଼ିଥିବା ପରିଲକ୍ଷିତ ହୁଏ । ଏହି ଲକ୍ଷ୍ୟରେ ଅନୁପ୍ରବେଶକାରୀଙ୍କ ପାଇଁ ‘ଡିକ୍ଟେଟ, ଡିଲିଟ, ଡିପୋର୍ଟ’ ଆଇନ ଚାଲୁ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି ।
ବୁଧବାର ରାଜ୍ୟ ସଚିବାଳୟ ‘ନବାନ୍ନ’ ସଭାଗୃହରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ‘ସିଏଏ’ ଅନ୍ତର୍ଭୁକ୍ତ ନୁହଁନ୍ତି, ସେମାନେ ଅନୁପ୍ରବେଶକାରୀ ଭାବେ ଗଣ୍ୟ କରାଯିବ । ଏହି କ୍ଷେତ୍ରରେ ରାଜ୍ୟ ପୁଲିସ ସେମାନଙ୍କୁ ଗିରଫ କରି ବିଏସଏଫ ହାତରେ ଧରାଇ ଦିଆଯିବ ।
ଏହା ମଧ୍ୟରେ ବାଂଲାଦେଶ ସୀମାନ୍ତରେ କଂଟାତାର ଲଗାଇବା ପାଇଁ ବିଏସଏଫ ହାତରେ ଆନୁଷ୍ଠାନିକ ଭାବେ ୨୭କିଲୋମିଟର ଜମି ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ତୃଣମୂଳ କଂଗ୍ରେସକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ତୃଣମୂଳ ଚାହିଁଥିଲେ ଏହା କରିପାରିଥାଆନ୍ତା, କିନ୍ତୁ ତାହା କରି ନଥିଲା । ତେଣୁ ଏହି କ୍ଷେତ୍ରରେ ରାଜ୍ୟର ନୂତନ ବିଜେପି ସରକାର ଅଗ୍ରସର ହେବ । ସେ ନୂତନ ଆଇନକୁ ଘୋଷଣା କରି କହିଥିଲେ ଯେ ବର୍ତମାନଠୁ ଯେଉଁମାନେ ସିଏଏ ଅନ୍ତର୍ଭୁକ୍ତ ନୁହଁନ୍ତି, ସେମାନଙ୍କୁ ଅନୁପ୍ରବେଶକାରୀ ଭାବେ ଗଣ୍ୟ କରାଯିବ ।
ଗତବର୍ଷ ମେ ମାସରେ ରାଜ୍ୟ ସରକାରଙ୍କୁ ଏକ ବିଜ୍ଞପ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଠାଯାଇଥିଲା । ସେଠାରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୪ ମସିହା ଡିସେମ୍ବର ୩୧ ତାରିଖ ପରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିୟାନ ଇତ୍ୟାଦି ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ଫେରସ୍ତ କରିବାକୁ ହେବ । କିନ୍ତୁ ପୂର୍ବ ତୃଣମୂଳ କଂଗ୍ରେସ ସରକାର ତାହା ଲାଗୁ କରି ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀ ଅଧିକାରୀ କହିଥିଲେ ଯେ ସେମାନଙ୍କୁ ‘ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ’ କରାଯିବ ।
ରାଜ୍ୟ ପୁଲିସ ସେମାନଙ୍କୁ ଗିରଫ କରିବା ପରେ ବିଏସଏଫ ହାତରେ ପ୍ରଦାନ କରାଯିବ । ତାଙ୍କର ବକ୍ତବ୍ୟ ଥିଲା ଯେ ଅନୁପ୍ରବେଶକାରୀ କହିଲେ ମୂଳତଃ ବାଂଲାଦେଶୀଙ୍କୁ ବୁଝାଏ ବୋଲି ସେ କଟାକ୍ଷ କରିଥିଲେ । ଆଇନଶୃଙ୍ଖଳାଜନିତ ଅପରାଧ, ଲାଭ ଜିହାଦ ଆଦି କ୍ଷେତ୍ରରେ ଯେଉଁ ସମସ୍ତ ଅସାମାଜିକ କାର୍ଯ୍ୟକ୍ରମ ବୃଦ୍ଧି ପାଇଛି ଏବଂ ଯେଉଁମାନେ ଏହି କାର୍ଯ୍ୟ ସହ ସଂପୃକ୍ତ ରହିଛନ୍ତି, ସେମାନଙ୍କର ଅଧିକାଂଶ ଭାଗ ବାଂଲାଦେଶର ଅନୁପ୍ରବେଶକାରୀ ଅଟନ୍ତି ।
ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୀମାନ୍ତବର୍ତୀ ଅଂଚଳରେ ପ୍ରଶାସନିକ ନଜରଦାରୀ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିବା ସହ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ ବୋଲି କହିଥିଲେ ।