ବିବାହିତ ଝିଅଙ୍କ ପାଇଁ ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତି
ବିବାହିତ ଝିଅଙ୍କ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ନିଷ୍ପତି ଦେଇଛନ୍ତି ।
ସୁପ୍ରିମ କୋର୍ଟ ଏକ ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ଏକ ଐତିହାସିକ ନିଷ୍ପତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବିବାହ ପରେ ମଧ୍ୟ ଝିଅ ତାଙ୍କ ପିତାମାତାଙ୍କ ପରିବାରର ସଦସ୍ୟ ହୋଇ ରହିଥାଏ । ତାଙ୍କ ବୈବାହିକ ସ୍ଥିତି ଆଧାରରେ ତାଙ୍କୁ ଏହି ଅଧିକାରରୁ ବାଦ ଦେବା ଅସମ୍ବିଧାନିକ ଏବଂ ଲିଙ୍ଗଗତ ବୈଷମ୍ୟ ।
ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିବାହ ଝିଅଙ୍କୁ ତାଙ୍କ ପିତାମାତାଙ୍କ ପରିବାରରୁ ଅଲଗା କରେ ନାହିଁ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିବାହ ନା ଝିଅ ଏବଂ ତାଙ୍କ ପିତାମାତାଙ୍କ ମଧ୍ୟରେ ଦୃଢ଼ ବନ୍ଧନକୁ ଭାଙ୍ଗିଥାଏ ନା ପରିବାରର ପରିଭାଷାରୁ ତାଙ୍କୁ ବାଦ ଦେବା ପାଇଁ ଏକ ବୈଧ ଆଧାର ପ୍ରଦାନ କରେ । ବିଚାରପତି ପି ଏସ ନରସିଂହ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ପୂର୍ବ ଆଲ୍ଲାହାବାଦ ହାଇକୋର୍ଟର ଆଦେଶକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରି ଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ବିବାହିତ ଝିଅଙ୍କୁ ପରିବାରର ଅଂଶ ଭାବେ ବିବେଚନା କରାଯାଏ ନାହିଁ ।
ସୁପ୍ରିମ କୋର୍ଟ କହିଛନ୍ତି ଯେ ବିବାହିତ ଝିଅମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବାଦ ଦେବା ନିୟମ କିମ୍ବା ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ ମନମୁଖୀ, ଅଯୌକ୍ତିକ ଏବଂ ସାମ୍ବିଧାନିକ ଭାବେ ଗ୍ରହଣୀୟ ନୁହେଁ । ଏହି ସମ୍ପୂର୍ଣ୍ଣ ମାମଲା ଉତର ପ୍ରଦେଶର ଜଣେ ମହିଳାଙ୍କ ସହିତ ଜଡ଼ିତ, ଯାହାଙ୍କ ପିତା ଜଣେ ରେସନ ଡିଲର ଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ଅନୁକମ୍ପାମୂଳକ ଆଧାରରେ ଏକ ସୁଲଭ ମୂଲ୍ୟ ଦୋକାନ ଡିଲର ଭାବେ ନିଯୁକ୍ତି ଦାବି କରିଥିଲେ । ୨୦୧୯ ସରକାଙ୍କ ଏକ ଆଦେଶ ଅନୁଯାୟୀ ପ୍ରଶାସନ ଏବଂ ହାଇକୋର୍ଟ ତାଙ୍କ ଦାବିକୁ ଖାରଜ କରି ଦେଇଥିଲେ, କାରଣ ସେ ବିବାହିତ ଥିଲେ ଏବଂ ସେହି ନିୟମ ବିବାହିତ ଝିଅମାନଙ୍କୁ ‘ପରିବାର’ ପରିଭାଷାରୁ ବାଦ ଦେଇଥିଲା । ମହିଳା ଏହା ିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
କୋର୍ଟ କହିଛନ୍ତି ଯେ ଏହି ନିୟମ ଲିଙ୍ଗଗତ ଅସମାନତା ଏବଂ ପୁରୁଣା ରକ୍ଷଣଶୀଳ ଧାରଣା ଉପରେ ଆଧାରିତ ଯେ ିବାହ ପରେ, ଜଣେ ଝିଅ ଅନ୍ୟ ପରିବାରର ସଦସ୍ୟ ହୋଇଯାଏ ଏବଂ ତାଙ୍କ ପିତାମାତାଙ୍କ ସହିତ ତାଙ୍କର ସମ୍ପର୍କ ଶେଷ ହୋଇଯାଏ ।
ଏହି ଚିନ୍ତାଧାରା ଆମ ସମ୍ବିଧାନର ସମାନତାର ଗ୍ୟାରେଂଟି ବିରୁଦ୍ଧରେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିବାହିତ ପୁଅମାନଙ୍କୁ ଏହି ସରକାରୀ ଯୋଜନାରୁ ବାଦ ଦିଆଯାଇ ନାହିଁ, ସେମାନେ ପରିବାରର ଅଂଶ ହୋଇ ରହନ୍ତି । ତେବେ କନ୍ୟାମାନଙ୍କ ପ୍ରତି ଏପରି ଭେଦଭାବ କାହିଁକି ? ସମାଜର ବର୍ତମାନର ଅବସ୍ଥାକୁ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି ଯେ ଅନେକ ବିବାହିତ ଝିଅ କେବଳ ସେମାନଙ୍କ ପିତାମାତାଙ୍କ ସହିତ ରହୁନାହାଁନ୍ତି ବରଂ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ମଧ୍ୟ କରୁଛନ୍ତି । ଏହା କେବଳ ବୈବାହିକ ସ୍ଥିତିଦ୍ୱାରା ନିର୍ଣ୍ଣୟ କରାଯାଇପାରିବ ନାହିଁ ।
ସୁପ୍ରିମ କୋର୍ଟ ଉତରପ୍ରଦେଶ ସରକାରଙ୍କ ଯୁକ୍ତିକୁ ମଧ୍ୟ ସମ୍ପୂର୍ଣ୍ଣ ଖାରଜ କରି ଦେଇଛନ୍ତି ଯେ ଜଣେ ବିବାହିତ ଝିଅ ସ୍ଥାନୀୟ ବାସସ୍ଥାନ ଆବଶ୍ୟକତା ପୂରଣ କରିପାରିବ ନାହିଁ । କୋର୍ଟ ରେକର୍ଡଗୁଡ଼ିକୁ ବିଚାର କରି ସ୍ୱୀକାର କରିଛନ୍ତି ଯେ ବିବାହ ପରେ ମଧ୍ୟ ମହିଳାଜଣକ ସେହି ଗାଁରେ ରହି ତାଙ୍କ ମାଆ ଏବଂ ଦୃଷ୍ଟିହୀନ ଭଉଣୀଙ୍କ ଯତ୍ନ ନେଉଥିଲେ ।
ଏହି ଐତିହାସିକ ନିଷ୍ପତି ଏବେ ବିବାହିତ ଝିଅମାନଙ୍କୁ ଅନୁକମ୍ପାମୂଳକ ଆଧାରରେ ସେମାନଙ୍କର ଅଧିକାର ଦାବି କରିବାର ପଥ ପରିଷ୍କାର କରିଛି ।