ସ୍ଥଗିତ ରହିଲା ବସ ଧର୍ମଘଟ
ବସ ଧର୍ମଘଟ ସ୍ଥଗିତ ରହିଲା । ୧୦ ତାରିଖରେ ହେବାକୁ ଥିବା ବସ ଧର୍ମଘଟକୁ ବସ ମାଲିକ ସଂଘ ପକ୍ଷରୁ ସ୍ଥଗିତ ରଖାଯାଇଛି ।
ଶୁକ୍ରବାର ପରିବହନ କମିସନରଙ୍କ ସହିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ଏଭଳି ନିଷ୍ପତି ନେଇଛି ।
ସୂଚନା ଅନୁଯାୟୀ ବସ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ସେମାନଙ୍କର ଦାବି ପୂରଣ କରିବା ପାଇଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଯଦି ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ ସରକାର ସେମାନଙ୍କର ସମସ୍ୟାର ସମାଧାନ ନ କରନ୍ତି, ତେବେ ପୁଣିଥରେ ଧର୍ମଘଟ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଘ ପକ୍ଷରୁ ୧୪ଟି ମାନଦଣ୍ଡ ଆଧାରରେ ବସ ଭଡ଼ା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି ।
ଏହି ପ୍ରସ୍ତାବ ଉପରେ ରାଜ୍ୟ ପରିବହନ କର୍ତୃପକ୍ଷ (ଏସଟିଏ) ବିଚାର କରିବେ ଏବଂ ଏହା ପରେ ବସ ଭଡ଼ା ପରିବର୍ତନ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବେ ।