ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ
ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଅତ୍ୟଧିକ ତାପପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଜୁନ ମାସରେ ପୁଣି ଗଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ କଡ଼ା ସୁରକ୍ଷା ମଧ୍ୟରେ ହୋଇଛି । ପୂର୍ବରୁ ଚଳନ୍ତି ଓ ବାହାର ରତ୍ନଭଣ୍ଡାରର ଗଣତିମଣତି ଶେଷ ହୋଇଛି । ୧୯୭୮ ତାଲିକା ଅନୁସାରେ ବର୍ତମାନ ସମସ୍ତ ଅଳଙ୍କାରର ନିର୍ଭୁଲ ଚିହ୍ନଟ ଓ ଗଣତି କରାଯାଇ ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଏବଂ ୩-ଡି ମ୍ୟାପିଂ ସହ ସିନ୍ଦୁକରେ ରଖାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପୂର୍ବରୁ ସୂଚନା ଦେଇଥିଲେ ।
ମୂଲ୍ୟବାନ ରତ୍ନ ଅଳଙ୍କାର ରହିଥିବା ଯୋଗୁଁ ଗଣତି ପ୍ରକ୍ରିୟା ସମୟସାପେକ୍ଷ ହେଉଛି ।
ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଚିହ୍ନିତ ରଙ୍ଗ କପଡ଼ାରେ ରଖିବା ପରେ ତାକୁ ଷ୍ଟିଲ ବାକ୍ସରେ ଭର୍ତି କରି ପୁଣି ସିନ୍ଦୁକରେ ରଖି ତାଲା ପକାଯାଉଛି । ଭିତର ଭଣ୍ଡାରରେ ଏଯାବତ ମେଳକରେ ସମ୍ପୂର୍ଣ୍ଣ ପୂର୍ଣ୍ଣତା ରହିଛି । ସମସ୍ତ ଗଣତିମଣତି ବେଶ ସ୍ୱଚ୍ଛତାର ସହ ଓ ସୁରକ୍ଷିତ ଭାବେ କରାଯାଉଛି ।
ଆଗାମୀ ଦିନରେ ଗଣତିମଣତି ବେଳେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।