ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ
ଦୀଘା ଜଗନ୍ନାଥ ଧାମ ନାମକରଣ ପରିବର୍ତନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ପତ୍ର ପ୍ରଦାନ କରି ଆବେଦନ କରିଥିଲେ ତାହା କାର୍ଯ୍ୟତଃ ସଫଳ ରୂପ ନେଇଛି ।
ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧୀକାରୀଙ୍କୁ ଚିଠି ଦେଇଥିଲେ ଯେ ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା ଲେଖାଯାଉ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଚିଠିରେ ଉଲ୍ଲେଖ କରାଯାଇଛି ଯେ ‘ଜଗନ୍ନାଥ ଧାମ’ ଶବ୍ଦଟି କେବଳ ପୁରୀ ଶ୍ରୀକ୍ଷେତ୍ର ସହ ଓତଃପ୍ରୋତ ଭାବେ ଜଡ଼ିତ, ଯାହା ଭାରତର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ।
ଏହି ନାମ ସହିତ କୋଟିକୋଟି ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି । ଦୀଘା ମନ୍ଦିରକୁ ‘ଧାମ’ ଆଖ୍ୟା ଦିଆଯିବାଦ୍ୱାରା ଓଡ଼ିଶା ତଥା ସମଗ୍ର ବିଶ୍ୱରେ ଜଗନ୍ନାଥ ପ୍ରେମୀ, ଗବେଷକ ଏବଂ ସାମାଜିକ ସାଂସ୍କୃତିକ ସଂଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ତେଣୁ ବିଷୟକୁ ଗୁରୁତ୍ୱ ଦେଇ ମଙ୍ଗଳବାର ପୁରୀ ସାଂସଦ ସମ୍ବିତ ପାତ୍ର ପଶ୍ଚିମବଙ୍ଗ ସଚିବାଳୟ ‘ନବାନ୍ନ’ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଉପରୋକ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ, ଯାହାକି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଏହି କ୍ଷେତ୍ରରେ ସବୁଜ ସଂକେତ ଦେଇଛନ୍ତି ।
ଦୀଘା ଜଗନ୍ନାଥ ଧାମରୁ ‘ଧାମ’ ଶବ୍ଦ ଉଠିଯିବ ବୋଲି କହିଛନ୍ତି । ଏହି ଅବସରରେ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଥିବାବେଳେ ଅପରପକ୍ଷରୁ ଶ୍ରୀ ଅଧିକାରୀ ମାଆ କାଳୀଙ୍କ ଫଟୋ ପ୍ରଦାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।