ବନ୍ୟା ବିପନ୍ନଙ୍କୁ ହଜାରେ କୋଟି
ଗଲା ୨ ମାସରୁ ଊଦ୍ଧ୍ୱର୍ ହେବ ଓଡ଼ିଶାକୁ ଘାରିଛି ତୁହାକୁ ତୁହାକୁ ତୁହା ଲଘୁଚାପଜନିତ ବର୍ଷା । ଫଳରେ ପର୍ଯ୍ୟାୟକ୍ରମେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆସିଛି । ଏହି କ୍ରମାଗତ ବନ୍ୟାରେ ଓଡ଼ିଶାବାସୀ ବେହାଲ ହୋଇପଡ଼ିଛନ୍ତି । ବିଶେଷ କରି ଉତର ଓ ପଶ୍ଚିମ ଓଡ଼ିଶାରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ବେଘର ହୋଇଯାଇଥିବାବେଳେ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମୋହନ ସରକାର ବନ୍ୟା ବିପନ୍ନଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି । ମଙ୍ଗଳବାର ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।
ତଦନୁଯାୟୀ ବନ୍ୟା ବିପନ୍ନଙ୍କୁ ୧ ହଜାର କୋଟି ଟଙ୍କାର ଦଶସୂତ୍ରୀ ସହାୟତା ମିଳିବ । ଏଥୁ ଅନ୍ତର୍ଗତ ୩୩%ରୁ ଅଧିକ କ୍ଷତି ହୋଇଥିଲେ ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୯ ଟଙ୍କା ଦିଆଯିବ । ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା, ୧୨ ମାସି ଫସଲ ପାଇଁ ୨୨ ହଜାର ୫ଶହ ଟଙ୍କାର କୃଷି ଇନପୁଟ୍ ସବ୍ସିିଡି ଦିଆଯିବ । ଧାନ ଓ ଅଣଧାନ ଫସଲ ପାଇଁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ଦିଆଯିବ । ବିହନ ପାଇଁ ଆର୍ଥିକ ସହାୟତା ସହ ସରକାରଙ୍କ ପାଖରେ ଥିବା ବିହନ ଚାଷୀ ନେଇପାରିବେ । ଏଥିସହ ବନ୍ୟା ପ୍ରଭାବିତଙ୍କୁ ମିଳିବ ଅତିରିକ୍ତ ରିଲିଫ ଚାଉଳ । ତେବେ ଚୂଡ଼ାନ୍ତ ରିପୋର୍ଟ ପରେ ସହାୟତା ରାଶି ବଢ଼ିବ ବୋଲି ଜଣାଯାଇଛି ।
ସେହିପରି ଡଙ୍ଗା, ଜାଲ, ଗୋରୁଙ୍କ ପାଇଁ ମିଳିବ ଆର୍ଥିକ ସହାୟତା । ବନ୍ୟା ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱାଭାବିକ ହେବା ଯାଏର୍ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ ଜାରି ରହିବ । କ୍ଷତିଗ୍ରସ୍ତଙ୍କୁ ବାସନ କୁଶନ ଓ ବସ୍ତ୍ର ବାବଦରେ ମଧ୍ୟ ଟଙ୍କା ଦିଆଯିବ ମଙ୍ଗଳବାର ଆହୂତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ଉକ୍ତ ବୈଠକରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବନ୍ୟା ପ୍ରଭାବିତ ଅଂଚଳର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।








