ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ
ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ ମିଳିବା ପରେ ପୁଲିସ ପ୍ରଶାସନର ପ୍ରଚେଷ୍ଟାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଜୀବନରୁ ମାରିଦେବା ପାଇଁ ଏକ କଲ ଆସିବା ପରେ ବିହାର ପୁଲିସ ତତ୍ପର ହୋଇଯାଇଥିଲା ।
ଧମକ ଦେଇଥିବା ଯୁବକଙ୍କୁ ତୁରନ୍ତ ଗୁଜୁରାଟର ଅହମ୍ମଦାବାଦ ଜିଲାରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତର ନାମ ଶେଖର ଯାଦବ । ସାନନ୍ଦ ପୁଲିସ ଏବଂ ବିହାର ପୁଲିସର ଏକ ମିଳିତ ଅପରେସନରେ ଅଭିଯୁକ୍ତକୁ ସାନନ୍ଦ-କାଡି ରୋଡ ନିକଟରୁ କାବୁ କରାଯାଇଥିଲା ।
ଏକ ମୋବାଇଲ୍ ଫୋନ କଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ବିହାରର ମୁଙ୍ଗେର ଜିଲା ଅନ୍ତର୍ଗତ ସଂଗ୍ରାମପୁର ପୁଲିସ ଷ୍ଟେନରେ ଏକ ମାମଲା ରୁଜୁ ହୋଇଥିଲା । ଅଧିକାରୀମାନଙ୍କ କହିବା ଅନୁସାରେ ସାନନ୍ଦ ପୁଲିସ ଇନିସପେକ୍ଟର ବିଟି ଗୋହିଲଙ୍କ ନେତୃତ୍ୱରେ ଉଭୟ ରାଜ୍ୟର ପୁଲିସ ଟିମ ମିଳିତ ଭାବେ କାର୍ଯ୍ୟ କରିଥିଲେ ।
ସିସିଟିଭି ସର୍ଭିଲାନ୍ସ ଏବଂ ବୈଷୟିକ ତଥ୍ୟ ଆଧାରରେ ଅଭିଯୁକ୍ତର ଠିକଣା ଖୋଜି ବାହାର କରାଯାଇଥିଲା । ପରେ ହେପାଜତକୁ ନେଇ ଜେରା ବେଳେ ଶେଖର ଯାଦବ ଧମକ ଦେଇଥିବା କଥା ସ୍ୱୀକାର କରିଥିଲା ।
ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାକୁ ବିହାର ପୁଲିସ ହସ୍ତାନ୍ତର କରାଯାଇଛି ।
ଗିରଫ ସମୟରେ ଅଭିଯୁକ୍ତ ସାନନ୍ଦ ଅଂଚଳରେ ଥିବା ଏକ ଡ୍ରାଏ ପୋର୍ଟ କମ୍ପାନୀ ସହ ଜଡ଼ିତ ଏକ ଟ୍ରାନ୍ସପୋର୍ଟ ଗାଡିର ଡ୍ରାଇଭର ଭାବେ କାମ କରୁଥିଲା । ସେ ମୂଳତଃ ବିହାରର ବାଙ୍କା ଜିଲାର ବାସିନ୍ଦା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ତା ବିରୋଧରେ କର୍ତୃପକ୍ଷ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅଧୀନରେ ମାମଲା ରୁଜୁ କରିଛନ୍ତି । ଏହି ଧମକ ପଛରେ ତାଙ୍କର ଉଦେ୍ଦଶ୍ୟ କ’ଣ ଥିଲା ଏବଂ ଏଥିରେ ଅନ୍ୟ କୌଣସି ବ୍ୟକ୍ତି ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।