ଦେଶରୁ ହଟିବ ଟୋଲ ପ୍ଲାଜା
ଚଳିତବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ଟୋଲ ପ୍ଲାଜା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଟାଇମ୍ସ ଗ୍ରୁପ ପକ୍ଷରୁ ଗୁରୁବାର ଆୟୋଜିତ ‘ଟାଇମ୍ସ ଡ୍ରାଇଭ ଅଟୋ ସମିଟ ଆଣ୍ଡ ଆବାର୍ଡସ ୨୦୨୬’ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ମୁଖ୍ୟ ଅତିଥି ଭାବେ ଯୋଗ ଏହା ଘୋଷଣା କରିଛନ୍ତି । ବର୍ତମାନ ଟୋଲ ବୁଥ ବ୍ୟବସ୍ଥା ପରିବର୍ତେ ଏକ ଅତ୍ୟାଧୁନିକ ବାଧାମୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଗଡକରୀ କହିଛନ୍ତି ।
ଏହା ନୂତନ ବ୍ୟବସ୍ଥା ଅଧିନରେ ଗାଡ଼ିଗୁଡ଼ିକୁ ଟୋଲ ପ୍ଲାଜାରେ ଆଉ ଧାଡ଼ି ବାନ୍ଧି ଅଟକିବାକୁ ପଡ଼ିବ ନାହିଁ, ବରଂ ଗାଡ଼ି ଚାଲୁଥିବା ସମୟରେ ହିଁ ସ୍ୱୟଂଚାଳିତ ଭାବେ ଟୋଲ ଆଦାୟ କରାଯାଇପାରିବ । ଏହି ନୂଆ ବ୍ୟବସ୍ଥା ମୁଖ୍ୟତଃ ସ୍ୱୟଂଚାଳିତ ନମ୍ବର ପ୍ଲେଟ ଚିହ୍ନଟ ଟେକନିକ ଓ ଫାସଟ୍ୟାଗ ଉପରେ ଆଧାରିତ ହେବାକୁ ଥିବାବେଳେ ଏହି ପ୍ରକ୍ରିୟାରେ ଜଣେ ଯାତ୍ରୀ କେବଳ ସେତିକି ଦୂରତା ପାଇଁ ଟୋଲ ଦେବ, ଯେତିକି ଦୂରତା ସେ ରାଜପଥରେ ଅତିକ୍ରମ କରିଥିବେ ।
ଏହାଦ୍ୱାରା ଯାତ୍ରା ଖର୍ଚରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିବ । ଯେଉଁଥିରେ ବର୍ତମାନ ୧୨୫ରୁ ୧୫୦ଟଙ୍କା ଟୋଲ ଫି ଦେବାକୁ ପଡ଼ୁଛି, ସେଠାରେ ଏହା ପ୍ରାୟ ୧୫ଟଙ୍କାକୁ ଖସି ଆସିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ଦାବି କରିଛନ୍ତି । ଏଥି ସହିତ ୩ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପାସ ବ୍ୟବସ୍ଥା ମଧ୍ୟ ରହିବ, ଯାହା ମାଧ୍ୟମରେ ୨୦୦ଟି ଟୋଲ କ୍ରସିଂ ଦେଇ ଯାତ୍ରା କରିହେବ । ଦେଶର ୮୫ଟି ସ୍ଥାନରେ ଏହି ପରୀକ୍ଷାମୂଳକ ବ୍ୟବସ୍ଥା ସଫଳ ହୋଇଥିବାବେଳେ ବର୍ଷ ଶେଷ ସୁଦ୍ଧା ଏହା ସମଗ୍ର ଦେଶରେ ଲାଗୁ କରାଯିବ ।
ସୂଚନା ଅନୁଯାୟୀ ପ୍ରତିବନ୍ଧକ ମୁକ୍ତ ଯାତ୍ରା ପାଇଁ ଭାରତର ପ୍ରଥମ ‘ମଲ୍ଟି-ଲେନ ଫ୍ରି-ଫ୍ଲୋ’ ସିଷ୍ଟମ ଗୁଜୁରାଟର ଏନଏଚ-୪୮ ସୁରତରୁ ଭରରକ୍ଟ୍ର ସେକ୍ସନରେ ସଫଳତାର ସହ ଆରମ୍ଭ କରାଯାଇଛି । ଦିଲ୍ଲୀ-ଜୟପୁର, ଦିଲ୍ଲୀ-ଡେରାଡୁନ ଓ ଚେନ୍ନାଇ-ବେଙ୍ଗାଲୁରୁ ଭଳି ପ୍ରମୁଖ ହାଇୱେ କରିଡରରେ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବାବେଳେ ଏହି ଟେକନିକ ଯୋଗୁଁ ସମୟ ଓ ଜାଳେଣି ସଂଚୟ ହେବା ସହ ଯାତ୍ରା ଅଧିକ ଆରାମଦାୟକ ହେବ ।
ତେବେ ସରାକରଙ୍କ ଏହି ପ୍ରକଳ୍ପ ଦେଶର ଭିତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଂଟ ସ୍ଥାପନ କରିବ ବୋଲି ବୁଦ୍ଧିଜୀବୀମାନେ ମନେ କରୁଛନ୍ତି ।