ଦୁଇ ବସ ମଧ୍ୟରେ ଧକ୍କା : ୬ ଜୀବନ୍ତ ଦଗ୍ଧ, ୨୦ ଗୁରୁତର
ଗୁଜୁରାଟର ସୁରଟ ଜିଲା ବାର୍ଡୋଲି ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମର ଦୁଇଟି ସରକାରୀ ବସ ମଧ୍ୟରେ ଭୟଙ୍କର ଧକ୍କା ହେବା ପରେ ଗୋଟିଏ ବସ ଜଳିଯାଇଛି । ବାର୍ଡୋଲିର ଉଭା ଗାଁ ନିକଟରେ ଅପରାହ୍ନ ୪ଟା ପରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୁରଟ ପୁଲିସର ସୂଚନା ଅନୁଯାୟୀ ବସରେ ନିଆଁ ଲାଗିଯିବା ଯୋଗୁଁ ଅତିକମରେ ୬ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଏହା ସହିତ ୨୦ରୁ ଅଧିକ ଯାତ୍ରୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହୃଦୟ ବିଦାୟକ ପରିବେଶ ସୃଷ୍ଟି ହୋଇଥିଲା ।
ସ୍ଥାନୀୟ ବାସିନ୍ଦା, ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ବସ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ ।
ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଯାତ୍ରୀ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି ।