ପଶ୍ଚିମବଙ୍ଗ ଭୋଟ : ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୮୯.୯୯%
ପଶ୍ଚିମବଙ୍ଗ ବିଧାନସଭା ମତଦାନ ସମ୍ପନ୍ନ ହୋଇଛି ।
ଆଜି ଥିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କେତେକ ବିକ୍ଷିପ୍ତ ଘଟଣାକୁ ବାଦ ଦେଲେ ଭୋଟପର୍ବ ଶାନ୍ତିପୂର୍ଣ୍ଣ ଥିଲା ବୋଲି ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ।
ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ରାଜନୈତିକ ସଂଘର୍ଷଠାରୁ ଅଧିକ ଭାବେ କେନ୍ଦ୍ରୀୟ ବାହିନୀ ଲାଠିଚାର୍ଜ ଘଟଣା ସାଧାରଣଙ୍କ ସମ୍ମୁଖକୁ ଉଠି ଆସିଥିବା ପରିଲକ୍ଷିତ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମତଦାନ ୮୯.୯୯% ହୋଇଥିବା କୁହାଯାଇଥିବାବେଳେ ହୁଗୁଳିରେ ମତଦାନ ହାର ୯୦.୩୪%, ହାଓଡ଼ାରେ ୮୯.୪୪%, କଲକାତା ଉତରରେ ୮୭.୭୭%, କଲକାତା ଦକ୍ଷିଣରେ ୮୬.୧୧%, ପୂର୍ବ ବର୍ଦ୍ଦମାନରେ ୯୨.୪୬% ଏବଂ ଦକ୍ଷିଣ ୨୪ପ୍ରଗଣାରେ ୮୯.୫୭% ହୋଇଛି ।
ତେବେ ଜିଲା ଭୋଟର ହାର କ୍ଷେତ୍ରରେ ପୂର୍ବ ବର୍ଦ୍ଧମାନ ଆଗୁଆ ଥିବା ଜଣାପଡ଼ିଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ସମୟରେ ବିଶେଷ ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତଙ୍କୁ ଫୋନ କରି ନିର୍ବାଚନ କମିସନର ଜ୍ଞାନେଶ କୁମାର କରି ଏହି ସମସ୍ତ ତଥ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି ।
କୁହାଯାଇଥିଲା ଯେ ସନ୍ଧ୍ୟା ୬ଟା ପରେ ଯଦି କୌଣସି ନାଗରିକ ଭୋଟ ଦେବା ନିମନ୍ତେ ଧାଡ଼ିରେ ଛିଡ଼ା ହୋଇଥାଆନ୍ତି, ତେବେ ସେମାନେ ଭୋଟ ଦେବାର ଅଧିକାର ପାଇବେ । ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ କେତୋଟି କାଁଭାଁ ଗଣ୍ଡଗୋଳ ମଧ୍ୟରେ ହୋଇଥିବାବେଳେ ସାମଗ୍ରିକ ଭାବେ କହିବାକୁ ଗଲେ ଶାନ୍ତିପୂର୍ଣ୍ଣ ଥିଲା । ଯେଉଁ ୭୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଶ୍ଚିମବଙ୍ଗରେ ମୁତୟନ ରହିଛନ୍ତି, ସେମାନେ ଭୋଟ ପରବର୍ତୀ ପର୍ଯ୍ୟାୟରେ ମଧ୍ୟ ରହିବେ ବୋଲି ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ।
ମୂଳତଃ ଗଣନା କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ସେମାନେ ରାଜ୍ୟରେ ରହିବେ ବୋଲି ନିର୍ଦେଶ ହୋଇଛି । ବିିଭିନ୍ନ ରାଜନେତା ଓ ନେତ୍ରୀ ବିଭିନ୍ନ କେନ୍ଦ୍ରରେ ମତଦାନ କରିଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ମିତ୍ର ଇନ୍ଷ୍ଟିଚ୍ୟୁଟରେ ଭୋଟ ଦେଇଥିଲେ ।
ଭୋଟ ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ବିିଭିନ୍ନ କେନ୍ଦ୍ରରେ କେନ୍ଦ୍ରୀୟ ବାହିନୀର ସହାୟତାରେ ବିଜେପି ନେତାକର୍ମୀମାନେ ଅରାଜକତା ଚଳାଇଛନ୍ତି । ବହୁ ବୁଥ୍ରେ ବିଜେପି ନେତାକର୍ମୀମାନେ ସାଧାରଣ ବୁଥ ଏଜେଂଟକୁ ବସାଇବାକୁ ଦେଉ ନାହାଁନ୍ତି । ମହିଳା ଓ ଶିଶୁଙ୍କୁ ମାରଧର କରାଯାଉଛି ।
ତେବେ ପଶ୍ଚିମବଙ୍ଗରେ ଏଭଳି ଭୋଟ କେବେବି ଦେଖିନାହାଁନ୍ତି ବୋଲି ସେ କହିଥିଲେ । ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଚଳିତ ବିଧାନସଭା ଭୋଟରେ ତୃଣମୂଳ କଂଗ୍ରେସର ବିଜୟ ସୁନିଶ୍ଚିତ ଏବଂ ୨ଶହରୁ ଅଧିକ ଆସନରେ ତୃଣମୂଳ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତିର ସହ ପ୍ରକାଶ କରିଛନ୍ତି ।