ଉତରପ୍ରଦେଶରେ ଓଡ଼ିଆ ନାବାଳିକାକୁ ଯୌନ ନିର୍ଯାତନା
ଢ଼େଙ୍କାନାଳ ଜିଲାର କଙ୍କଡ଼ାହାଡ଼ ଅଂଚଳର ଜଣେ ୧୭ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଉତରପ୍ରଦେଶର ଝାନ୍ସୀକୁ ଚାଲାଣ କରି ବିକ୍ରି କରିବା ଏବଂ ସେଠାରେ ପ୍ରାୟ ଦୁଇ ବର୍ଷ ଧରି ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଅବଗତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ ଚାକିରି ଯୋଗାଇ ଦେବା ବାହାନରେ ପୀଡ଼ିତା ଏବଂ ଅନ୍ୟ ତିନିଜଣ ବାଳିକାଙ୍କୁ ଉତରପ୍ରଦେଶ ଚାଲାଣ କରାଯାଇଥିଲା । ନିର୍ଯାତନାର ଶିକାର ହେଲା ପରେ ନାବାଳିକା ସେଠାକାର ଜଣେ ସ୍ଥାନୀୟ ଓକିଲଙ୍କ ସହାୟତାରେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ ।
ପରେ ସେ ଝାନ୍ସୀ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଉତରପ୍ରଦେଶ ପୁଲିସ ନାବାଳିକାଙ୍କ ବୟନ ରେକର୍ଡ କରିଥିଲା । ପରେ ତାଙ୍କୁ ଓଡ଼ିଶାକୁ ଟ୍ରେନରେ ଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ନାବାଳିକାକୁ ଟ୍ରେନ ଟିକଟ ବ୍ୟତୀତ ଆଉ କିଛି ଅନ୍ୟ ସୁବିଧା ଦିଆଯାଇ ନଥିଲା ।
ଓଡ଼ିଆ ନାବାଳିକା ଫେରିବା ପରେ ଓଡ଼ିଶା ପୁଲିସ ତାଙ୍କ ବୟାନ ରେକର୍ଡ କରିଛି ଏବଂ ତଦନ୍ତ ଜାରି ରଖିଛି । ଏନଏଚଆରସି ଅନୁସାରେ ରିପୋର୍ଟର ବିଷୟବସ୍ତୁ ଯଦି ସତ୍ୟ, ତେବେ ଏହା ମାନବାଧିକାର ଉଲ୍ଲଙ୍ଘନ କରିଛି । ତେଣୁ ଏହା ଓଡ଼ିଶା ପୁଲିସ ମହାନିର୍ଦେଶକ, ଉତରପ୍ରଦେଶର ପୁଲିସ ମହାନିର୍ଦେଶ ଏବଂ ଢେଙ୍କାନାଳ ଜିଲା ମାଜିଷ୍ଟ୍ରେଟଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଆହ୍ୱାନ କରିଛି । ଏଥିରେ ତଦନ୍ତର ସ୍ଥିତି ଏବଂ ପୀଡ଼ିତାଙ୍କୁ ସହାୟତା ଏବଂ ପୁନର୍ବାସ ପ୍ରଦାନ ପାଇଁ ନିଆଯାଇଥିବା ପଦକ୍ଷେପ ଅନ୍ତର୍ଭୁକ୍ତ ହେବାର ଆଶା କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତମାସ ୨୯ ତାରିଖରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୀଡ଼ିତାଙ୍କୁ ପ୍ରାୟ ତିନି ମାସ ଧରି ଏକ ଘରେ ବନ୍ଦୀ କରି ରଖାଯାଇଥିଲା ଏବଂ ସେଠାରେ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦିଆଯାଇଥିଲା ।
ଅଭିଯୋଗ ଅନୁସାରେ ପୀଡ଼ିତା ଗର୍ଭବତୀ ହେବା ପରେ ତାଙ୍କ ସମ୍ମତି ବିନା ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା ।
ଏହା ପରେ ତାଙ୍କୁ ୫୦,୦୦୦ ଟଙ୍କାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା ଏବଂ ଖସିଯିବାରେ ସଫଳ ହେବା ପୂର୍ବରୁ ପ୍ରାୟ ଦୁଇବର୍ଷ ଧରି ଅନେକେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।