ଚୈତ୍ର ନବରାତ୍ରି ଆରମ୍ଭ
ଗୁରୁବାରଠାରୁ ପବିତ୍ର ଚୈତ୍ର ନବରାତ୍ରି ପର୍ବ ଆରମ୍ଭ ହୋଇଛି ।
ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥିବାବେଳେ ବହୁ ମନ୍ଦିରକୁ ସୁସଜ୍ଜିତ କରାଯାଇଥିବା ଦେଖାଯାଇଛି ।
ଘଟଗାଁ ମା’ତାରେଣୀ, କଟକର କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଝଂକଡ ସାରଳାଙ୍କ ସହ ବିଭିନ୍ନ ଦେବୀ ପୀଠରେ ଭକ୍ତଙ୍କ ଭିଡ଼ ଅଧିକ ଥିବା ପରିଲକ୍ଷିତ ହୋଇଛି ।
ଭକ୍ତମାନେ ନଅଦିନ ଧରି ମାଆଙ୍କ ନଅ ରୂପ ଦେଖିବାର ସୁଯୋଗ ପାଇବା ସହ ପୂଜାର୍ଚନା କରି ଆର୍ଶୀବାଦ ଲାଭ କରିବେ । ସେହିପରି ଏହି ନବରାତ୍ରି ପାଳନ ଉପଲକ୍ଷେ ବିଭିନ୍ନ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।
ପୂଜାକାର୍ଯ୍ୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହୁଏ ସେଥିପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।
ଭକ୍ତଙ୍କ ଭିଡ଼କୁ ଗୁରୁତ୍ୱ ଦେଇ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ।
କଟକ, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବ୍ରହ୍ମପୁର ଆଦି ସ୍ଥାନରେ ଥିବା ମାଆଙ୍କ ପୀଠରେ ଭକ୍ତମାନେ ଯେପରି ସୁରୁଖୁରୁରେ ପୂଜା କାର୍ଯ୍ୟ ସମ୍ପାଦନ କରିପାରନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବା ପରିଲକ୍ଷିତ ହୁଏ ।