ଡାଲମା ହାଣ୍ଡିରେ ସାପ, ୫୦ ଅସୁସ୍ଥ
କୌଣସି ଜଙ୍ଗଲ କିମ୍ବା ଘରୁ ନୁହେଁ ! ଏକ ଡାଲମା ହାଣ୍ଡିରୁ ସାପ ବାହାରିବାଦ୍ୱାରା ଅନେକେ ଭୟଭୀତ ହୋଇପଡ଼ିବା ସହ ୪୦ଜଣ ଭଳି ଲୋକ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି ।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟିର ୧୦ନଂ ୱାର୍ଡ ଦେଉଳିଠାରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତ୍ରିରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟିର ୧୦ନଂ ୱାର୍ଡରେ ଭାଗବତ ସପ୍ତାହ ପାଳନ କରାଯାଉଥିଲା । ଏହି ଉପଲକ୍ଷେ ପ୍ରସାଦ ସେବନ ବ୍ୟବସ୍ଥା ଥିବାରୁ ନିକଟରେ ପ୍ରସାଦ ରନ୍ଧା ଯାଉଥିଲା ।
୪୦୦ ଲୋକଙ୍କ ପାଇଁ ପ୍ରସାଦ ରନ୍ଧା ଯାଇଥିଲା । କିନ୍ତୁ ପ୍ରସାଦ ସେବନ ସମୟରେ ଏକ ଡାଲମା ହାଣ୍ଡିରୁ ଏକ ସାପ ପଡ଼ିଥିବା ଦେଖି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଆହୁରି କେତେକ ଭୟଭୀତ ହୋଇପଡ଼ିଥିଲେ ।
ଯେଉଁମାନେ ଏହି ଡାଲମା ପ୍ରସାଦ ସ୍ୱରୂପ ଖାଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ଜଣ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି ।
ତୁରନ୍ତ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡ଼ିକାଲରେ ଭର୍ତି କରାଯାଇଛି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଅନେକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।
ତେବେ ଡାଲମା ହାଣ୍ଡିରେ କିପରି ସାପ ପଶିଲା ଏବଂ ଏହାକୁ କିପରି ଅନ୍ୟ କେହି ଦେଖିପାରିଲା ନାହିଁ, ତାହା ନେଇ ସାଧାରଣରେ ଚର୍ଚା ହେଉଛି । ସ୍ଥାନୀୟ ଲୋକମାନେ ପୁଲିସ ସହାୟତାରେ ଅନୁସନ୍ଧାନ ଜାରି ରଖିଛନ୍ତି ।
ପୁଲିସର ଧାରଣା ସମ୍ଭବତଃ କୌଣସିକ୍ରମେ ସାପଟି ଡାଲମା ହାଣ୍ଡି ମଧ୍ୟରେ ପଶି ଯାଇପାରିଥାଏ, ତେବେ ସମସ୍ତ ଘଟଣାର ରହସ୍ୟ ଶୀଘ୍ର ସର୍ବସମ୍ମୁଖକୁ ଆସିଯିବ ବୋଲି କୁହାଯାଇଛି ।