ଖସିଲା ୭ଟନ୍ ଓଜନର ଉଲକାପିଣ୍ଡ
ଉଲ୍କାପିଣ୍ଡ ସମ୍ପର୍କରେ ଅନେକେ ଅଳ୍ପବହୁତେ ଜାଣିଥିବେ । ଯାହକି ରାତ୍ରି ସମୟରେ ଏହାକୁ ଅନେକେ ଦେଖିଥିବେ । ଆମେରିକାର ଓହିଓର କ୍ଲଭଲ୍ୟାଣ୍ଡଠାରେ ଦିନ ସମୟରେ ଏକ ବଡ଼ ଉଲ୍କାପିଣ୍ଡ ପଡ଼ିବା ଯୋଗୁଁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି ।
କ୍ଲିଭଲ୍ୟାଣ୍ଡଠାରୁ କେତେଶହ କିଲୋମିଟର ଦୂରରେ ଥିବା ଲୋକମାନେ ମଧ୍ୟ ଏହି ନିଆଁପିଣ୍ଡୁଳାକୁ ଦେଖିଥିବା ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏ ସମ୍ପର୍କରେ ଆମେରିକୀୟ ଉଲ୍କାପାତ ସୋସାଇଟି ପକ୍ଷରୁ କୁହାଯାଇଛି ଯେ ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ୱିସ୍କନସିନରୁ ମେରିଲ୍ୟାଣ୍ଡ ପର୍ଯ୍ୟନ୍ତ ଅଂଚଳରେ ଉଲକାପାତ ଦେଖାଯିବାର ରିପୋର୍ଟ ମିଳିଛି ।
ଆମେରିକାର ମହାକାଶ ସଂସ୍ଥା ନାସାର ଉଲ୍କା ପରିବେଶ କାର୍ଯ୍ୟାଳୟ ପକ୍ଷରୁ ନିଶ୍ଚିତ କରାଯାଇଛି ଯେ ଏହାର ବ୍ୟାସ ପ୍ରାୟ ୬ଫୁଟ ଏବଂ ଓଜନ ୭ଟନ୍ ଥିଲା । ସୂଚନା ଅନୁଯାୟୀ ଉଲ୍କା ପିଣ୍ଡଟି ଘଂଟା ପ୍ରତି ୭୨,୪୦୦କିମି ବେଗରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ଉଲ୍କା ପିଣ୍ଡଟି ପ୍ରଥମେ ଲୋରେନ୍ ନିକଟରେ ଏରି ହ୍ରଦ ଉପରେ ପ୍ରାୟ ୮୦ କିଲୋମିଟର ଉପରେ ଦେଖାଯାଇଥିଲା । ଏହା ଉପର ବାୟୁମଣ୍ଡଳ ଦେଇ ଗତି କରିବା ସମୟରେ ଦ୍ରୁତ ଗତିରେ ଦକ୍ଷିଣ-ପୂର୍ବ ମୁହାଁ ହୋଇଥିଲା ।
ଉଲ୍କାପିଣ୍ଡଟି ଓହିଓରେ ପ୍ରାୟ ୪୮କିଲୋମିଟର ଉପରେ ଖଣ୍ଡଖଣ୍ଡ ହୋଇଯାଇଥିଲା । ଏଥିରୁ ନିର୍ଗତ ଶକ୍ତି ଭୟଙ୍କର ଥିଲା ।
ନାସା ପକ୍ଷରୁ ଆକଳନ କରିଛି ଯେ ଏହାର ବିସ୍ଫୋରଣରୁ ୨୫୦ଟନ୍ ଟିଏନ୍ଟି (ଟ୍ରାଇ ନାଇଟ୍ରୋ ଟୁଲିନ୍) ବିସ୍ଫୋରକ ଭଳି ସମାନ ଶକ୍ତି ନିର୍ଗତ ହୋଇଥିଲା । ଯାହାକି ଏକ ବଡ଼ ସାମରିକ ଗ୍ରେଡ୍ ବିସ୍ଫୋରଣ ସହ ସମାନ ଥିଲା କହିଲେ ଅତୁ୍ୟକ୍ତି ହେବ ନାହିଁ ।
ଏହାର ଉଜ୍ୱଳତା ଏତେ ଶକ୍ତିଶାଳୀ ଥିଲା ଯେ ୱାଶିଂଟନ, ଡିସି ଏବଂ କାନାଡାର ଓଂଟାରିଓ ସମେତ ଅନ୍ୟୁନ ୧୦ଟି ଆମେରିକୀୟ ରାଜ୍ୟର ଲୋକମାନେ ଏହାକୁ ଦେଖିଥିଲେ ।