ତେଲ୍ ଅଭିଭରେ କ୍ଷେପଣାସ୍ତ୍ର ବର୍ଷା
ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୯ତମ ଦିବସ ଆଜି ଏକ ଭୟଙ୍କର ମୋଡ଼ ନେଇଥିବା ଦେଖାଯାଇଛି ।
ଏହି ଯୁଦ୍ଧ ସଂପ୍ରତି ଆଂଚଳିତ ସ୍ତରରେ ବ୍ୟାପକ ରୂପ ନେବାକୁ ଯାଉଥିବାରୁ ଆଗାମୀ ଦିନରେ ବିଶ୍ୱ ସଂକଟ ପରିସ୍ଥିତି ନେବାର ଆଶଙ୍କାକୁ ଏଡାଇ ଯାଇ ନପାରେ । ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲି ଲାରିଜାନୀ ଓ ଜଣେ ଶୀର୍ଷ କମାଣ୍ଡର ଗୋଲାମରେଜା ସୋଲେମାନିଙ୍କୁ ଗତକାଲି ହତ୍ୟା କରାଯିବା ପରେ ତେହେରାନ ପକ୍ଷରୁ ପ୍ରତିଶୋଧ ନେବା ଆରମ୍ଭ ହୋଇଛି ।
ଇସ୍ରାଏଲ ଓ ଉପସାଗରୀୟ ଅଂଚଳରେ ଥିବା ଆମେରିକୀୟ ସାମରିକ ଘାଟି ଓ ସମ୍ପତି ଉପରେ ଆଜି ଏକ ସଙ୍ଗେ ଆକ୍ରମଣ କରି ଇରାନ ଏହି ଅଂଚଳର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପ ଭାଙ୍ଗିଦେବାକୁ ଚେଷ୍ଟା କରିଛି । ଅନ୍ୟପଟେ ଲେବାନନରେ ଇସ୍ରାଏଲ ଧ୍ୱଂସଲୀଲା ଚଳାଇଛି । ଇରାନ ଆଜି ଅତ୍ୟାଧୁନିକ ଖୋରମଶାହର-୪ ବାଲିଷ୍ଟିକ ମିସାଇଲ ଓ ସାହେଦ-୨୩୮ ଟର୍ବୋଜେଟ୍ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରିଛି ।
ଯୁଦ୍ଧ ।ରମ୍ଭରୁ ପ୍ରଥମ ଥର ପାଇଁ ଇରାନର ମିସାଇଲଗୁଡ଼ିକ କେନ୍ଦ୍ରୀୟ ଇସ୍ରାଏଲର ଶକ୍ତିଶାଳୀ ଏରୋ-୩ ପ୍ରତିରକ୍ଷା ପ୍ରଣାଳିକୁ ଭୋଦ କରିବାରେ ସଫଳ ହୋଇଛି । କ୍ଲଷ୍ଟର ବୋମା ଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ ଭୟାବହ ସ୍ଥିତି ସୃଷ୍ଟି କରିଛି ।
ତେଲ ଅଭିଭର ରାମାଡ ଗାନ୍ ଅଂଚଳରେ ଏକ ପ୍ରମୁକ ରେଳ ଜଙ୍କସନ ନିକଟରେ ମିସାଇଲ ମାଡ଼ ହେବାରୁ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।
ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ସେଂଟ୍ରାଲ ସାଭିଦୋର ରେଳ ଷ୍ଟେସନ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଯାହା ଫଳରେ ଏଠାରୁ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।
ଗିଭାତାଇମ୍ ଅଂଚଳର ଏକ ଆବାସିକ କମ୍ପ୍ଲେକ୍ସର ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏବେ ବି ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି । ଗତ ୪୮ଘଂଟା ମଧ୍ୟରେ ଇରାନ ଆକ୍ରମଣରେ ହଜାର ହଜାର ଇସ୍ରାଏଲି ନାଗରିକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ହେଜବୁଲ୍ଲା ବିରୋଧରେ ଆଇରନ ପ୍ରେସର ଅଭିଯାନକୁ ଆହୁରି ଜୋରଦାର କରିଛି ।