ରେଳ ଷ୍ଟେସନରୁ ୯କିଲୋ ଗଞ୍ଜେଇ ଜବତ, ୨ଗିରଫ
କଂଟାବାଞ୍ଜି ରେଳ ଷ୍ଟେସନରୁ ରେଳ ସୁରକ୍ଷା ବଳ ଓ ଅବକାରୀ ଥାନା ମିଳିତ ଭାବେ ୨ଜଣ ଆନ୍ତରାଜ୍ୟ ଗଞ୍ଜେଇ ବେପାରୀକୁ ଧରିବାରେ ସକ୍ଷମ ହୋଇଛନ୍ତି ।
ସେମାନଙ୍କ ନିକଟରୁ ୯କିଲୋ ଗଞ୍ଜେଇ ଜବତ ହୋଇଛି । ଉଭୟଙ୍କ ନାମରେ ଅବକାରୀ ମାମଲା ରୁଜୁ କରି ଉଭୟଙ୍କୁ ଅଦାଲତ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ କଂଟାବାଞ୍ଜି ଷ୍ଟେସନରେ ପୁରୀ-ଏଲଟିଟି ଲୋକମାନ୍ୟ ତିଲକ ରେଳଗାଡ଼ି ଦିନ ୧୨ଟା ୨୫ମିନିଟ୍ରେ ୧ନଂ ପ୍ଲାଟଫର୍ମରେ ପହଂଚିଥିଲା । ଉକ୍ତ ରେଳଗାଡ଼ିରେ ଗଂଞ୍ଜେଇ ଚାଲାଣ ହେଉଥିବା ପୂର୍ବରୁ ଖବର ପାଇ ରେଳ ସୁରକ୍ଷା ବଳ ଓ ଅବକାରୀ ଦଳ ସଜାଗ ଥିଲେ ।
ରେଳଗାଡ଼ି ପହଂଚିବା କ୍ଷଣି ଯାଂଚ କରି ଅଭିଯୁକ୍ତ ଧରିଥିବା ଟ୍ରଲି ଓ ହ୍ୟାଣ୍ଡ ବ୍ୟାଗରୁ ଗଞ୍ଜେଇ ଜବତ କରିଥିଲେ । ଦୁଇ ଗଞ୍ଜେଇ ବ୍ୟବସାୟୀ ହେଲେ ମଧ୍ୟପ୍ରଦେଶ ଜବଲପୁର ଜିଲା ରାଣୀତାଲ ଅଂଚଳର କିଶୋର ବିଶ୍ୱକର୍ମା (୫୨) ଏବଂ ଉତରପ୍ରଦେଶ ମିରଟ ଜିଲା ମୁଜାକିପୁର ଅଂଚଳର ସଞ୍ଜୟ କୁମାର ।
ଏମାନଙ୍କୁ ରେଳ ସୁରକ୍ଷା ବଳ ସିପିଡିଏସ ଏଏସ୍ଆଇ ଏମଏସ ନାଗ ରେଳଗାଡ଼ିରେ ପିଛା କରି ଆସିବା ସହ କଂଟାବାଞ୍ଜି ଆର୍ପିଏଫ୍ ପୋଷ୍ଟ ଓ ଅବକାରୀ ଥାନାକୁ ଖବର ଦେଇଥିଲେ ।
କଂଟାବାଞ୍ଜି ରେଳ ସୁରକ୍ଷା ବଳ ଏଏସ୍ଆଇ ପରମାନନ୍ଦ ଭାଟିଙ୍କ ସହ ଷ୍ଟାଫ୍ ଏବଂ କଂଟାବାଞ୍ଜି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ରଶ୍ମିତା ଲାକ୍ରା ଓ ଅବକାରୀ ଅନ୍ୟ ଅଧିକାରୀ ଷ୍ଟେସନରେ ମିଳିତ ଚଢ଼ଉ କରିଥିଲେ ।