ବଢ଼ିଲା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ
ମଇ ୬ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦେଶ
ଗତ ଏପ୍ରିଲରେ ବିଶ୍ୱ ଅଟିଜିମ ଦିବସ ଅବସରରେ ଆୟୋଜିତ ଏକ ସଭାରେ ଦିବ୍ୟାଙ୍ଗଙ୍କୁ ଆକ୍ଷେପ କରି କହିବାକୁ ନେଇ କିଟସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି ।
ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘ପୂର୍ବଜନ୍ମ କର୍ମଫଳରୁ ପିଲାଙ୍କୁ ଅଟିଜିମ ଦଶା’ ଭୋଗିବାକୁ ପଡ଼ିଥାଏ । ସେ ଏହା ବି କହିଥିଲେ ଯେ, ପୂର୍ବଜନ୍ମ କର୍ମଫଳେ ଯାଚି ମୁଁ ଦେଉଥାଏ ବଳେ । ସେ କିଛି ପାପ କରିନି ସେ କାଇଁ ଅଟିଷ୍ଟିକ ଚାଇଲଡ ହେଲା ?
କିଏ ବିଶ୍ୱାସ କରୁ ନା ନ କରୁ ପୂର୍ବ ଜନ୍ମର କର୍ମଫଳ ଯୋଗୁଁ ପିଲା ଅଟିଜିମର ଶୀକାର ହୋଇଥାନ୍ତି ବୋଲି ଡ. ସାମନ୍ତ କହିଥିଲେ ।
ତାଙ୍କର ଏହି ମନ୍ତବ୍ୟକୁ ସବୁ ମହଲରେ କଟୂ ସମାଲୋଚନା କରାଯାଉଥିବାବେଳେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ।
ଏହାର ତଦନ୍ତ କରି ଆସନ୍ତା ମଇ ୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲାପାଳଙ୍କୁ ଭିନ୍ନକ୍ଷମ କମିଶନର ନିର୍ଦେଶ ଦେଇଛନ୍ତି ।
ଏଥିସହ ଡ. ସାମନ୍ତଙ୍କୁ ମଧ୍ୟ ମଇ ୬ ତାରିଖ ସୁଦ୍ଧା ଏସସିପିଡିକୁ ଜବାବ ଦେବାକୁ ନୋଟିସ ଜାରି କରିଛନ୍ତି ।
ଏହା ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କମିଶନର ଉଲ୍ଲେଖ କରି ଏଭଳି ନିର୍ଦେଶ ଜାରି କରିଛନ୍ତି ।