୧୭ ରାଜ୍ୟରେ ବର୍ଷା ପୂର୍ବାଭାସ
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଉତରପ୍ରଦେଶଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ପ୍ରାୟ ୧୭ଟି ରାଜ୍ୟରେ ବର୍ଷା, ପବନ ଓ ବ୍ରଜପାତ ହେବାର ସତର୍କ ସୂଚନା ଜାରି କରିଛି ।
ଏକ ସକ୍ରିୟ ପଶ୍ଚିମା ବାୟୁ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ପାଣିପାଗରେ ବଡ଼ ପରିବର୍ତନ ଦେଖାଦେଇଛି, ଯାହା ଫଳରେ ଗ୍ରୀଷ୍ମପ୍ରବାହ ପୂର୍ବରୁ ତାପମାତ୍ରାରେ ଅପ୍ରତ୍ୟାଶିତ ହ୍ରାସ ଘଟିଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ପଶ୍ଚିମା ବାୟୁର ପ୍ରଭାବ ଆଗାମୀ ୫ଦିନ ପର୍ଯ୍ୟନ୍ତ ରହିବ, ଯାହା ଫଳରେ ଉତର ଓ ପୂର୍ବ ଭାରତର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଂଟାପ୍ରତି ୪୦କିମି ଭଳି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଉତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଆଗାମୀ ୪୮ଘଂଟା ମଧ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହଛି । ଏହା ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଦେଖାଦେଇଛି ।
ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ବର୍ଷା ଓ ମେଘୁଆ ପାଣିପାଗ ଯୋଗୁଁ ଦିନର ସର୍ବାଧିକ ତାପମାତ୍ରାରେ ୪ରୁ ୬ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ଘଟିଛି ।
ଏଭଳି ବର୍ଷା ଆଶଙ୍କାକୁ ନେଇ ଗରିବ ଓ ଗହମ, ସୋରିଷ ଓ ଆଳୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।