୬ ଜିଲାର ୪୪ ବ୍ଲକ ବନ୍ୟା ପ୍ରଭାବିତ, ୪ ମୃତ
ଲଗାଣ ବର୍ଷାରେ ଉତର ଓଡ଼ିଶାର ସମସ୍ତ ନଦୀ ଫୁଲିଛି ।
ଏଥିଯୋଗୁଁ ଉତର ଓଡ଼ିଶା ଏବେ ଜଳାର୍ଣ୍ଣବ ହୋଇପଡ଼ିଛି । ଭଦ୍ରକ ରାସ୍ତା ଉପରେ ୫ ଫୁଟର ପାଣି ଚାଲିଥିବାବେଳେ ଯାଜପୁର ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଉତର ଓଡ଼ିଶାର ୬ଟି ଜିଲାର ୪୪ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ୪ ଜଣଙ୍କ ବନ୍ୟାରେ ମୃତ୍ୟୁ ଘଟିଛି । ଯାଜପୁରର ୩, ମୟୁରଭଞ୍ଜର ୧୩, ସମ୍ବଲପୁରର ୩ ବ୍ଲକ ପ୍ରଭାବିତ ହୋଇଛି । ମୋଟ ୨୩୩ ପଂଚାୟତର ୭୪୮ଟି ଗାଁ ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥିରେ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।
ସେହିପରି ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରେ ବନ୍ୟା ଲୋକଙ୍କ ଜୀବନକୁ ଦୁର୍ବିସହ କରିପକାଇଛି । ଏହି ବନ୍ୟାରେ ଢେଙ୍କାନାଳ ଜିଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ପ୍ରାୟ ୨୮ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ବନ୍ୟାରେ ଏଯାବତ ପ୍ରାୟ ୮ ହଜାର ହେକ୍ଟର ଚାଷଜମି ବୁଡ଼ିଯାଇଛି । ସେହିପରି ୭୪୮ଟି ଗାଁ ଓ ୬ଟି ସହରାଂଚଳ ପ୍ରଭାବିତ ହୋଇଛି । ଏଯାବତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରାୟ ୭୬୧ଟି ଘର ଭାଙ୍ଗିଛି ବୋଲି ପ୍ରଶାସନ କହିଛି ।








