ଦାଉ ସାଧୁଛି ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ବନ୍ୟା
ବୁଧବାର ୮ ଜିଲାରେ ସ୍କୁଲ ଛୁଟି
ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୃଷ୍ଟି ବନ୍ୟାରେ ବେହାଲ ହୋଇପଡ଼ିଛି ଓଡ଼ିଶା ।
ଏହି ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।
କେଉଁଠି ବନ୍ୟା ପାଣି ଜମିକୁ ମାଡ଼ି ଯାଇ ଫସଲ ନଷ୍ଟ କରିଛି ତ ଆଉ କେଉଁଠି ପୂରା ଗାଁକୁ ଘେରାବନ୍ଦୀ କରି ରଖିଛି ।
ଏଭଳି ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲାରେ ଲକ୍ଷାଧିକ ଲୋକେ କଷ୍ଟ ପାଉଛନ୍ତି ।
ଏହାକୁ ଦେଖି ସରକାର ରାଜ୍ୟର ୮ଟି ଜିଲାରେ ସ୍କୁଲଗୁଡ଼ିକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି ।
ଭଦ୍ରକ, କେନ୍ଦୁଝର, ଯାଜପୁର, ବରଗଡ଼ରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି କରାଯାଇଛି ।
ସେହିଭଳି ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ ସୋନପୁରରେ ମଧ୍ୟ ସରକାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।
ତେଣେ ରାସ୍ତା ଉପରେ ପ୍ରାୟ ୫ ଫୁଟର ପାଣି ଚାଲୁଥିବାରୁ ଯାଜପୁର-ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଜଳେଶ୍ୱରରେ ମଧ୍ୟ ଅବସ୍ଥା ସାଂଘାତିକ ।
ଲଗାଣ ବର୍ଷା ଯୋଗୁଁ ଜଳକା ନଦୀ ବିପଦସଙ୍କେତ ଟପିଛି ।
ତେବେ ବନ୍ୟାର ମୁକାବିଲା ପାଇଁ ଧାମନଗର ନିର୍ବାଚନମଣ୍ଡଳୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ବିଶେଷ କରି ତିହିଡ଼ି, ଧାମନଗର ବ୍ଲକର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।








