ଫେରାଇଦେଲେ ସାଢ଼େ ୭ଲକ୍ଷ ଟଙ୍କା
ସଂସାରରେ ଏମିତି ଲୋକ ବି ଅଛନ୍ତି ?
ଆଶ୍ଚର୍ଯ୍ୟ ହେଲେ ବି ସତ । କାରଣ ହଜାର ନୁହେଁ କି ଶହେ ନୁହେଁ, ବ୍ୟାଙ୍କ ଖାତାକୁ ଆସିଥିଲା ସାଢ଼େ ସାତ ଲକ୍ଷ ଟଙ୍କା । ଯାହାକୁ ଫେରାଇ ସାଧାରଣଙ୍କ ନିକଟରେ ନିଦର୍ଶନ ସାଜିଛନ୍ତି ଯାଜପୁର ଜିଲା ବଡ଼ଚଣା ବ୍ଲକ୍ ରାଧାଦେଇପୁର ଗ୍ରାମର ସନ୍ତୋଷ କୁମାର ନାୟକ ।
ସେ କୁହନ୍ତି ଯେ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା । ତାଙ୍କ ନିକଟରେ ଏପରିକି ସାଢ଼େ ତିନିମାସ ମଧ୍ୟ ରହିଥିଲା । କିନ୍ତୁ ମନ ମାନି ନଥିଲା, ତେଣୁ ପ୍ରକୃତ ମାଲିକଙ୍କୁ ତାଙ୍କ ଟଙ୍କା ଫେରାଇ ଦେଇଛି ।
ସୂଚନାଯୋଗ୍ୟ ଯେ ୨୦୨୫ ମସିହା ଡିସେମ୍ବର ୨୦ ତାରିଖରେ ସନ୍ତୋଷଙ୍କ ବ୍ୟାଙ୍କ ଆକାଉଂଟକୁ ୭ଲକ୍ଷ ୫୦ହଜାର ଟଙ୍କା ଆସିଥିଲା ।
ତାଙ୍କ ମୋବାଇଲକୁ ଏକ ବାର୍ତା ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜକୁ ବିଶ୍ୱାସ କରି ପାରୁ ନଥିଲେ । ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ଦୌଡ଼ିଥିଲେ ।
କିନ୍ତୁ ତାହା ସତ ବୋଲି ଜାଣିବା ପରେ ବଡ଼ଚଣା ଥାନାରେ ଏକ ଲିଖିତ ଜଣାଇଥିଲେ । ଏହାର ୧୫ଦିନ ପରେ ବିହାରର ସୁନୀଲ କୁମାର ନାମକ ଜଣେ ଯବାନ ତାଙ୍କୁ ଫୋନ କରି ଭୁଶବଶତଃ ତାଙ୍କ ସଂଚୟ ଖାତାରୁ ସାଢ଼େ ସାତ ଲକ୍ଷ ଟଙ୍କା ଚାଲି ଯାଇଛି ବୋଲି କହିଥିଲେ ।
ସବୁ ଶୁଣିବା ପରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିଛି ବୋଲି ସନ୍ତୋଷ ତାଙ୍କୁ ଆଶ୍ୱାସନା ଦେଇଥିଲେ ।
ଗୁରୁବାର ଯବାନ ସୁନୀଲ କୁମାର ବଡ଼ଚଣା ଥାନାରେ ପହଂଚିବା ଖବର ପାଇବାଦ୍ୱାରା ସନ୍ତୋଷ ସେଠାକୁ ଯାଇ ଥାନା ଏସଆଇ ଶାନ୍ତନୁ କୁମାର ମିଶ୍ରଙ୍କ ଉପସ୍ଥିତିରେ ସମସ୍ତ ଟଙ୍କା (ସାଢ଼େ ସାତ ଲକ୍ଷ ଟଙ୍କା) ଚେକ୍ ଆକାରରେ ସୁନୀଲ କୁମାରଙ୍କୁ ପ୍ରଦାନ କରିଥିଲେ । ସନ୍ତୋଷଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା ହେଉଛି ।