ରେକର୍ଡ ଭାଙ୍ଗିଲା ପ.ବଙ୍ଗ ପ୍ରଥମ ଦଫା ଭୋଟ ହାର
ଅବିଶ୍ୱାସ ହେଲେ ବି ସତ୍ୟ, କାରଣ ୧୫୨ଟି ଆସନରେ ଗୁରୁବାର ପ.ବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରାୟ ୯୨% ହୋଇଛି । ଯାହାକି ଭାରତୀୟ ରାଜନୀତିରେ ରେକର୍ଡ ହୋଇଛି ।
ରାଜ୍ୟର ୧୬ଟି ଜିଲାରେ ସାଧାରଣ ନାଗରିକ ସ୍ୱତଃସ୍ପୂର୍ତଭାବେ ନିଜ ମତ ପ୍ରଦାନ କରିଥିବା ଦେଖାଯାଇଛି ।
ରାଜ୍ୟର ପ୍ରାୟ ୪୦ହଜାର ବୁଥ୍ ମଧ୍ୟରେ ମାତ୍ର କେତୋଟି ବୁଥରେ କାଁଭାଁ ଗଣ୍ଡଗୋଳ ଘଟିଥିଲେ ସୁଦ୍ଧା ଅନ୍ୟ ସବୁଠି ଅବାଧ ଓ ଶାନ୍ତିପୂର୍ଣ୍ଣ ଥିଲା ବୋଲି କମିସନ ପକ୍ଷରୁ କୁହାଯାଇଛି ।
ତେବେ ପ୍ରଶ୍ନ ହେଉଛି ଯେ ଏଭଳି ବିପୁଳ ପରିମାଣର ମତଦାନର କାରଣ କ’ଣ? ଏ ସମ୍ପର୍କରେ ବିଶେଷଜ୍ଞମାନେ କୁହନ୍ତି ଯେ ସମ୍ଭବତଃ ଏସଆଇଆର ପ୍ରକ୍ରିୟା ଯୋଗୁଁ ସାଧାରଣ ନାଗରିକ ଭୋଟ ଦେବା ପାଇଁ ଆଗେଇ ଆସିଛନ୍ତି । ଆହୁରି କୁହାଯାଇଛି ଯେ ଚଳିତଥର ପଶ୍ଚିମବଙ୍ଗରେ ୯୧ଲକ୍ଷ ଭୋଟରଙ୍କ ନାମ ବାଦ ଯାଇଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ (ପ୍ରାୟ ୬୦ଲକ୍ଷ) ମୃତ ନଚେତ ସ୍ଥାନାନ୍ତରିତ । ସେ ଦୃଷ୍ଟିରୁ ପ୍ରକୃତ ଭୋଟରମାନେ ସେମାନଙ୍କ ମତଦାନ କରିବାଦ୍ୱାରା ମତଦାନ ହାର ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି ।
ଆହୁରି କୁହାଯାଉଛି ଯେ ଚଳିତଥର ଏସଆଇଆର ପ୍ରକ୍ରିୟା ଜାରି ରହିବାଦ୍ୱାରା ସାଧାରଣ ଭୋଟର ଆତଙ୍କିତ ମଧ୍ୟରେ ରହିଥିଲେ । ଭୋଟରଙ୍କ ନାମ ଯେପରି କୌଣସି ମୁହୂର୍ତରେ ବାଦ ନ ଯାଏ, ସେଥିପାଇଁ ପ୍ରତ୍ୟେକ ଭୋଟ ଦେବାକୁ ସକାଳୁ ବୁଥ୍କୁ ଆସିବାକୁ ବାଧ୍ୟ ହୋଇଛନ୍ତି ।
ଏପରିକି ଭିନ୍ନ ରାଜ୍ୟରେ ଥିବା ପଶ୍ଚିମବଙ୍ଗର ନାଗରିକମାନେ ରାଜ୍ୟକୁ ଆସି ଭୋଟ ଦେଇଛନ୍ତି । ଯାହାଦ୍ୱାରା ଭୋଟ ହାର ବୃଦ୍ଧି ପାଇବା ସ୍ୱାଭାବିକ ହୋଇଛି । ତେବେ ନିର୍ବାଚନ କମିସନରଙ୍କ ସୁଦୃଢ଼ କାର୍ଯ୍ୟକଳାପ ଯୋଗୁଁ ମତଦାନ ହାର ବୃଦ୍ଧି ପାଇଛି ଏବଂ ଏଥିପାଇଁ ଖୋଦ ନିର୍ବାଚନ କମିସନ ପ୍ରଶଂସାର ପାତ୍ର ଅଟନ୍ତି ।
ତେବେ ଏଭଳି ସଂଖ୍ୟକ ମତଦାନ କେଉଁ ପରିସ୍ଥିତିକୁ ଇଙ୍ଗିତ କରୁଛି ବୋଲି ସାଧାରଣ ନାଗରିକ ପ୍ରଶ୍ନ କରୁଥିବାବେଳେ ବିଶେଷଜ୍ଞମାନେ ମନେ କରନ୍ତି ଯେ ମୂଳତଃ ଏସଆଇଆର ଯୋଗୁଁ ରାଜ୍ୟ ଭୋଟ ବ୍ୟାଙ୍କରେ ଏଭଳି ପ୍ରଭାବ ପଡ଼ିଛି ।
ତେବେ ଏହି ଭୋଟ ହାର କେଉଁ ଦଳ ପାଇଁ ତାହା ଆଗାମୀ ୪ତାରିଖରେ ଜଣାପଡ଼ିବ ।