୧୭ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
୧୦ବର୍ଷ ପୂର୍ବେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ମାମଲାରେ ବେଙ୍ଗାଲୁରୁର ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ମୋଟ ୧୭ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣୀ ସାମିଲ ଥିବା ଜଣାପଡ଼ିଛି ।
ଏହା ବ୍ୟତୀତ ସମସ୍ତ ଦୋଷୀଙ୍କ ଉପରେ ମୋଟ ୧୬ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।
ଏହି ଅର୍ଥକୁ ହତ୍ୟାର ଶିକାର ହୋଇଥିବା ବିଜେପି ନେତାଙ୍କ ସନ୍ତାନଙ୍କୁ କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି । ଜୋରିମାନା ପୈଠ ନ କଲେ, ଅତିରିକ୍ତ ତିନି ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି ।
୨୦୧୬ ମସିହା ଜୁନ୍ ୧୫ତାରିଖରେ କର୍ଣ୍ଣାଟକର ଧରୱାଡ ଜିଲାରେ ବିଜେପି ଜିଲା ପଂଚାୟତ ସଦସ୍ୟ ଯୋଗେଶ ଗୌଡ଼ା ଗୌଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।
ଯୋଗେଶ ଏକ ଜିମରେ ଥିବାବେଳେ ଦୋଷୀମାନେ ପ୍ରଥମେ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ ।
ଯୋଗେଶ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଥିଲା । ୨୦୧୯ ମସିହାରେ ମାମଲାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା ।