ବାଘ ଆକ୍ରମଣରେ ୪ ମହିଳା ମୃତ
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଏକ ମହାବଳ ବାଘର ଆକ୍ରମଣରେ ୪ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।
ମହିଳାମାନେ କେନ୍ଦୁପତ୍ର ତୋଳିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଏକ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଯାଇଥିବା ୪ଜଣ ମହିଳାଙ୍କ ଉପରେ ଏକ ମହାବଳ ବାଘ ଅତର୍କିତ ଆକ୍ରମଣ କରିବାଦ୍ୱାରା ସେମାନଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀମାନେ ସୂଚାଇଛନ୍ତି ।
ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁହାଯାଇଛି ଯେ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂର ସିନେ୍ଦୱାହି ତହସିଲ ଅନ୍ତର୍ଗତ ଗୁଞ୍ଜେୱାହି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଘଟିଛି । କିଛି ମହିଳା ବିଡ଼ି ତିଆରି ନିମିତ ବ୍ୟବହୃତ ହେଉଥିବା କେନ୍ଦୁପତ୍ର ତୋଳିବାକୁ ସ୍ଥାନୀୟ ଏକ ଜଙ୍ଗଲକୁ ଯାଇଥିଲେ ।
ସେମାନେ ପତ୍ର ସଂଗ୍ରହ କରିବା ସମୟରେ ଅଚାନକ ଏକ ବାଘ ଆକ୍ରମଣ କରିଥିଲା । ଯାହାଦ୍ୱାରା ବାଘ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କୱାଡାବାଇ ମୋହୁର୍ଲେ (୪୫), ଅନିତାବାଇ ମୋହୁର୍ଲେ (୪୦), ସୁନିତା ମୋହୁର୍ଲେ (୩୮) ଏବଂ ସଂଗୀତା ଚୌଧୁରୀ (୫୦) ।
ପ୍ରତ୍ୟେକ ଗୁଞ୍ଜେୱାହି ଗ୍ରାମର ବାସିନ୍ଦା । ତେବେ ବାଘାଟି ଏମାନଙ୍କୁ ଗୋଟିଏ ସ୍ଥାନରେ ଆକ୍ରମଣ କରିଥିଲା ନା ଅଲଗା ଅଲଗା ସ୍ଥାନରେ କରିଥିଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରି ନାହିଁ । ଖବର ପାଇ ବନ ବିଭାଗର ବିଶେଷ ଦଳ ଜଙ୍ଗଲରେ ପହଂଚିଥିଲା ।
ଚନ୍ଦ୍ରପୁର ସର୍କଲ ମୁଖ୍ୟ ବନ ସଂରକ୍ଷକ ଆର ଏମ ରାମାନୁଜମ କହିଛନ୍ତିଯେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ପଂଚନାମା ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିହେବ ।