୪୮ଘଂଟିଆ ବାମନଘାଟି ବନ୍ଦ
ତିରିଂ ଥାନା ଅଂଚଳରେ ଜନୈକା ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେବହଳଦାଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ, ଯାହାକୁ ନେଇ ପୁଲିସ ଲାଠିଚାର୍ଜ କରିଥିଲା । ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଗାଡ଼ିକୁ ଓଲଟାଇ ଦେଇଥିଲେ ।
ଏହି ଘଟଣାରେ ୩୪ଜଣ ଆଦିବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସମସ୍ତ ୩୪ଜଣଙ୍କୁ ନର୍ଦୋଷରେ ଖଲାସ କରିବାକୁ ଦାବି କରି ମୟୁରଭଞ୍ଜ ଆଦିବାସୀ ଏକତା ମଂଚ ୪୮ଘଂଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି ।
ଶୁକ୍ରବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରାର ପ୍ରଭାବ ପଡ଼ିଛି । ସକାଳୁ କର୍ମକର୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ସଫଳ କରିଛନ୍ତି । ରାଇରଙ୍ଗପୁର ଦେଇ ଯାଇଥିବା ରାଂଚି-ବିଜୟୱାଡା ୨୨୦ନଂ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି ।
ଅନ୍ୟପଟେ ରାଜପଥ ବନ୍ଦ ଯୋଗୁଁ ରାଇରଙ୍ଗପୁରରୁ ବାରିପଦାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଟ୍ରକ, ବସ, ଚାରି ଚକିଆ ଯାନ, ତିନି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ।
ଉପଖଣ୍ଡର ସମସ୍ତ ଦୋକାନ ବଜାର, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଆଦିବାସୀ ସଂଗଠନଗୁଡ଼ିକ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉଥିବା ପରିଲକ୍ଷିତ ହୋଇଛି ।
ବିକ୍ଷୋଭକାରୀଙ୍କ ଦାବି ଯେ ୩୪ଜଣ ଗିରଫ ଆଦିବାସୀଙ୍କୁ ନିର୍ଦୋଷରେ ତୁରନ୍ତ ଜେଲ୍ରୁ ଖଲାସ କରିବାକୁ ହେବ ।