ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ
ବିବାହ ଭୋଜି ଖାଇ ଫେରୁଥିବା ସମୟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଯାଜପୁର ଜିଲ୍ଲା ଜେନାପୁର ଥାନାର ବରଡ଼ା ବେହେରା ଟାଙ୍କି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଗୁରୁତରଙ୍କୁ ଧର୍ମଶାଳା ଏବଂ ବଡ଼ଚଣା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଧର୍ମଶାଳା ଡାକ୍ତରଖାନାରେ ୩ ଜଣଙ୍କୁ ଡାକ୍ତର ମୃତଘୋଷଣା କରିଥିବାବେଳେ ବଡ଼ଚଣାରେ ଅନ୍ୟ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ମୃତକମାନେ ବଡ଼ଚଣା ବ୍ଲକ ସୋତମପୁର ଗାଁର ହୋଇଥିବାବେଳେ ଜଣେ ମହିଳା ଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ୮ ଅନ୍ୟ ଗୁରୁତରଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ବିବାହ ଭୋଜି ସାରି ଫେରୁଥିବା ଏକ ବୋଲେରୋ ଜେନାପୁର ଠାରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ପିଟି ଦେଇଥିଲା । ଫଳରେ ଉକ୍ତ ବୋଲେରୋରେ ବସିଥିବା ୧୩ ଜଣଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଥିଲେ ।
ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସମସ୍ତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।