କଟକରୁ ୫ଶହ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ଜାଳେଣି ଗ୍ୟାସ ଯୋଗାଣ ଉପରେ ସଂକଟ ସୃଷ୍ଟି ହୋଇଛି ।
ଏଭଳି ସମୟରେ ବିଭିନ୍ନ ଭାବେ କଳାବଜାରୀମାନେ ସାଧାରଣ ଗ୍ରାହକଙ୍କଠୁ ଟଙ୍କା ହାତେଇବାରେ ଲାଗିଛନ୍ତି । କାରଣ ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋରେ ଏକ ବେଆଇନ ଗୋଦାମ ଉପରେ ପୁଲିସ, ଜିଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଦଳ ଚଢ଼ଉ କରିବାଦ୍ୱାରା ୫୦୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରିବାରେ ସମର୍ଥ ହୋଇଛନ୍ତି ।
ଫୁଲନଖରା-ନିଆଳି ରାଜ୍ୟ ରାଜପଥ ପାର୍ଶ୍ବରେ ଏକ ଘରୁ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ ବଂଟନ ସମ୍ପର୍କରେ ସୂଚନା ପାଇବା ପରେ କଟକ ଗ୍ରାମାଂଚଳ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ୩ଟି ଗାଡ଼ି ଜବତ କରିଥିଲା ।
ଏହା ବ୍ୟତୀତ ଉକ୍ତ ସ୍ଥାନକୁ ସିଲ ମଧ୍ୟ କରାଯାଇଛି । କିଛିଦିନ ପୂର୍ବେରୁ ଏପ୍ରିଲ ୨୩ତାରିଖରେ ଏହି ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଂଚଳରେ ୫୫୨ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିଲା ।