ବନ୍ୟାରେ ଓଡ଼ିଶାର ୮ ଲକ୍ଷ ଲୋକ ପ୍ରଭାବିତ : ମୁଖ୍ୟମନ୍ତ୍ରୀ
ଗତ ପ୍ରାୟ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଜିଲାରେ ହୋଇଥିବା ପ୍ରବଳ ଅବିଶ୍ରାନ୍ତ ବର୍ଷା ଓ ଛତିଶଗଡ଼ ଛାଡ଼ିଥିବା ବନ୍ୟା ଜଳ ଓ ହୀରାକୁଦ ବନ୍ଧ ଫିଟାଇଥିବା ୨୨ଟି ଗେଟର ପାଣି ଯୋଗୁଁ ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି ।
ଏହି ବନ୍ୟାରେ ରାଜ୍ୟର ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଏହି ପ୍ରଳୟଙ୍କାରୀ ବନ୍ୟାରେ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାବେଳେ ପ୍ରାୟ ୮ ଲକ୍ଷ ଲୋକଙ୍କ ବାସଗୃହ ଭାସିଯାଇଛି ।
ତା’ ସହିତ ଭାସିଯାଇଛନ୍ତି ଗାଈ, ବଳଦ, ଛେଳି ଓ ମେଣ୍ଢା ଆଦି ଗୃହପାଳିତ ପଶୁ ।
ଏଣୁ ପାଣି ଛାଡ଼ିବାର ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ସଚିବ ବନ୍ୟା ପ୍ରଭାବିତ ଜିଲାର ଜିଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ବନ୍ୟା ପରେ କ୍ଷୟକ୍ଷତିର ମୁକାବିଲା କରିବା ପାଇଁ ଏସଡିଆରଏଫ ଫଣ୍ଡରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବନ୍ୟା ପରେ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।








