ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ୧୮ତମ ପାଳିରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।
ତାଙ୍କ ସହିତ ୧୩ଜଣ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଗ୍ରୀଷ୍ମଋତୁ ପରେ ଜିଲାସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ୩୦ଜଣ ଦିବ୍ୟାଙ୍ଗ ଓ ଦୁରାରୋଗରେ ପୀଡ଼ିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ ।
ସେମାନଙ୍କ ଅଭିଯୋଗ ପତ୍ର ଗ୍ରହର କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହା ପରେ ପ୍ରକୋଷ୍ଠ ଭିତରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସେହିପରି ବିଭିନ୍ନ ରୋଗରେ ପୀଡ଼ିତ ପ୍ରାୟ ୧୩ଜଣ ଅଭିଯୋଗକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଜରିଆରେ ୩.୬୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି ।
ପୁଅର ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ନୟାଗଡ଼ର କାମାକ୍ଷୀ ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିଛନ୍ତି । ସୋମବାର ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ୬୦୦ରୁ ଊର୍ଦ୍ଧ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି ।
ଗତ ୧୭ପାଳି ସୁଦ୍ଧା ଅଭିଯୋଗ ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ଭାବେ ଆସିଥିବା ୧୪,୬୫୧ଟି ଅଭିଯୋଗ ମଧ୍ୟରୁ ୧୪,୦୪୬ ଅର୍ଥାତ ୯୬ପ୍ରତିଶତ ଅଭିଯୋଗ ସମାଧାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗ୍ରୀଷ୍ମଋତୁ ପରେ ବ୍ୟାପକ କରାଯିବ ବୋଲି ପ୍ରଶାସନ ସୂତ୍ରରୁ କୁହାଯାଇଛି ।