କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶିବ କୁମାରଙ୍କ ଶପଥ
ଦକ୍ଷିଣ ଭାରତର କଂଗ୍ରେସର ଜଣେ ଜଣାଶୁଣା ଚେହେରା ଡିକେ ଶିବକୁମାର ବୁଧବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାଦ୍ୱାରା ଦୁଇବର୍ଷ ଧରି ଖବର ଶିରୋନାମା ପାଲଟିଥିବା ଏକ ଦୀର୍ଘ ବିବାଦର ଅନ୍ତ ଘଟିଛି । ବୁଧବାର ଲୋକଭବନର ଗ୍ଲାସ ହାଉସରେ କଂଗ୍ରେସ ନେତା ଡିକେ ।ିବକୁମାର କର୍ଣ୍ଣାଟକର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟପାଳ ଥାୱାରଚାନ୍ଦ ଗେହଲଟ ଶପଥ ପାଠ କରାଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପ୍ରଭାବଶାଳୀ ଦଳିତ ନେତା ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ ୧୨ଜଣ ମନ୍ତ୍ରୀଙ୍କୁ ନୂତନ କ୍ୟାବିନେଟରେ ସାମିଲ କରାଯାଇଛି ।
ଲୋକଭବନରେ ଶିବ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତି ଓ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତି, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଅଭିନେତା ଜୟମାଳା ଓ ଶିବ ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ଶପଥ ଗ୍ରହଣ ସମାରୋହ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲୋକଭବନରେ ପହଂଚିଥିଲେ । ଏହା ପୂର୍ବରୁ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଲ ବିମାନବନ୍ଦରରେ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ ।
ଶିବ କୁମାରଙ୍କ ପତ୍ନୀ ଉଷା ଓ କନ୍ୟା ଐଶ୍ୱର୍ଯ୍ୟା ଶପଥ ଗ୍ରହଣ ଉପରେ ଉପସ୍ଥିତ ଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଫୋନରେ ଶିବ କୁମାରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।