ବିଜେପିରୁ ଦେବାଶିଷ ରାଜ୍ୟସଭା ପ୍ରାର୍ଥୀ !
ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରାର୍ଥୀଙ୍କ ନାମ ଗୁରୁବାର ଘୋଷଣା କରିଛି । ସଦ୍ୟ ବିଜେଡିରୁ ବିଜେପିକୁ ଯାଇଥିବା ଦେବାଶିଷ ସାମନ୍ତରାୟଙ୍କ ନାମରେ ବିଜେପି ମୋହର ମାରିଛି । ଯାହାଦ୍ୱାରା ଦେବାଶିଷ ବିଜେପି ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ଟିକଟ ମିଳିବା ପରେ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେପି ମୋ ଉପରେ ଭରସା ରଖିଛି । ରାଜ୍ୟର ବିକାଶ ପାଇଁ ଯାହାର ଦରକାର ତାହା କରିବି । ସୂଚନାଯୋଗ୍ୟ ଯେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୨୭ଟି ରାଜ୍ୟସଭା ଆସନ ଓ ୩ଟି ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।
ସୋମବାର ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜୁନ ୧୮ରେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ କମିସନ ଅନୁଯାୟୀ ସମସ୍ତ ନିର୍ବାଚନ ପାଇଁ ମତଦାନ ଜୁନ ୧୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ କରାଯିବ । ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ଜୁନ ୧ ତାରିଖ ସକାଳ ୧୧ଟାରୁ ଆରମ୍ଭ ହୋଇଛି । ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ ୮ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିଛି । ନାମାଙ୍କନ ଯାଂଚ ଜୁନ ୯ ତାରିଖ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଶେଷ ତାରିଖ ଜୁନ ୧୧ ତାରିଖ ରହିଛି ।
ଭୋଟ ଗ୍ରହଣ ଜୁନ ୧୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓ ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ । ଇସିଆଇ ଆହୁରି କହିଛନ୍ତି ଯେ ରାଜ୍ୟସଭାର ୧୦ଟି ରାଜ୍ୟର ୨୪ଟି ଆସନରେ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର, ତାମିଲନାଡୁ ଓ ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ ।
ଏହି ସମୟରେ ବିହାରର ନଅଟି ଆସନ ପାଇଁ ରାଜ୍ୟ ବିଧାନସଭା ପରିଷଦ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ ଓ ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।
କର୍ଣ୍ଣାଟକରେ ବିଧାନସଭା ପରିଷଦର ସାତଟି ଆସନ ପାଇଁ ନିର୍ବାଚନ ହେବ ।