ଗୋଟିଏ ଦିନରେ ଇସ୍ତଫା ଦେଲେ ୩ ନେତା
କୌଣସି ଅନ୍ୟ ଦଳ ନୁହେଁ, ଖୋଦ କଟକ ବିଜେଡିରେ ତିନି ନେତାଙ୍କ ଇସ୍ତଫା ଦେବା ପ୍ରସଙ୍ଗ ରାଜନୈତିକ ମହଲରେ ଚର୍ଚାର ବିଷୟ ହୋଇଛି । ଯେଉଁ ତିନି ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି ସେମାନେ ହେଲେ ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ତଥା ଦକ୍ଷ ସଂଗଠକ ରଞ୍ଜନ କୁମାର ବିଶ୍ୱାଳ ଓ ବିଜେଡି ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ।
ଆଜି ସକାଳେ ପ୍ରଥମେ ରଞ୍ଜନ ବିଶ୍ୱାଳ ତାଙ୍କର ଇସ୍ତଫାପତ୍ର ବିଜେପି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବାବେଳେ କିଛି ଘଂଟା ମଧ୍ୟରେ ମଧୁସୂଦନ ସାହୁ ଏବଂ ଅପରାହ୍ନରେ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଦଳରୁ ଇସ୍ତଫା ବିଷୟ ଘୋଷଣା କରିଥିଲେ । ରଞ୍ଜନ ବିଶ୍ୱାଳ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଦଳର ସାଂଗଠନିକ କାର୍ଯ୍ୟରେ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାହାକୁ ସେ ସୂଚାରୁ ରୂପେ ତୁଲାଇ ଆସିଥିଲେ ।
ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ପୌର ନିଗମ ନିର୍ବାଚନ ସମୟରେ ବିଭିନ୍ନ ୱାର୍ଡରେ ବିଜେଡିର ସଂଖ୍ୟାଧିକ କର୍ପୋରେଟରଙ୍କୁ ଜିତାଇବାରେ ଯଥା ସମ୍ଭବ ଯୋଗଦାନ ଦେଇ ଆସିଥିଲେ । କିନ୍ତୁ ୨୦୨୨ ପୌର ନିର୍ବାଚନ ପରଠୁ ତାଙ୍କୁ ଲଗାତର ଭାବେ ଦଳରେ ଅବହେଳା କରାଗଲା ।
ସାଧାରଣ ନିର୍ବାଚନରେ ବିଜେପି ବାରବାଟୀ-କଟକରେ ତୃତୀୟ ସ୍ଥାନରେ ରହିଲା । ପରବର୍ତୀ ସମୟରେ ବି ଏହାକୁ ସୁଧାରିବା କ୍ଷେତ୍ରରେ ଦଳର ପ୍ରକୃତ କର୍ମୀ ଓ ସଂଗଠକଙ୍କୁ ଅବହେଳା କରାଗଲା । ଯାହାଦ୍ୱାରା ଏଭଳି ସ୍ଥିତି ଉପୁଜିଛି । ଅନ୍ୟପଟେ ମଧୁସୂଦନ ସାହୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସିଧାସଳଖ ମେୟର ସୁବାସ ସିଂହଙ୍କୁ ଦାୟୀ କରିଛନ୍ତି ।
ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ ଯେଉଁ ସୁବାସ ସିଂହଙ୍କୁ କମ୍ୟୁନିଷ୍ଟ ଦଳରୁ ଆଣି ବିଜେଡିରେ ମିଶାଇଥିଲୁ, ସେ ମେୟର ହେବା ପରେ ପ୍ରଥମେ ତାଙ୍କୁ କ୍ଷତିରେ ପକାଇଲେ । ତାଙ୍କୁ ଓ ଅନ୍ୟ ବରିଷ୍ଠ ନେତା, କର୍ମୀଙ୍କୁ କୋଣଠେସା କରି ପାଣ୍ଡିଆନ ଥିବା ଯାଏଁ ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି କହି ବୁଲିଲେ । ଯାହାର ପରିଣାମ ସ୍ୱରୂପ ଦଳ ୨୦୨୪ ନିର୍ବାଚନରେ ବାରବାଟୀ-କଟକରେ ଦଳ ତୃତୀୟ ସ୍ଥାନରେ ରହିଲା । ଏ ସମ୍ପର୍କରେ ଦଳର ନେତୃବୃନ୍ଦଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ସୁଫଳ ମିଳିଲା ନାହିଁ ।
ଯାହାକୁ ବିଚାର କରି ଦଳରୁ ଇସ୍ତଫା ଦେଇଛି ବୋଲି ଶ୍ରୀ ସାହୁ କହିଛନ୍ତି । ସେହିପରି ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିର ରାଜ୍ୟ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି ।
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ଭି କେ ପାଣ୍ଡିଆନଙ୍କ ନିର୍ଦେଶରେ ଦଳ ପରିଚାଳିତ ହେଉଛି । ବିଜେଡିର ବହୁ ବରିଷ୍ଠ ନେତାଙ୍କ ସହ ଅନେକ ଯୁବଛାତ୍ର ନେତାଙ୍କୁ କୋଣଠେସା କରାଯାଇଛି । ଏଭଳି ସ୍ଥିତିରେ ଦଳରେ ସ୍ୱାଭିମାନର ସହ କାର୍ଯ୍ୟ କରିବା ଅସମ୍ଭବ ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ ଯେ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ କଟକ ବିଜେଡିର ଅନେକ ନେତା ଦଳ ଛାଡ଼ିବା ନେଇ ଯାହା ଆଶଙ୍କା କରାଯାଉଥିଲା, ସେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଲୋଚନା ହେଉଛି ।