ଆଇସିୟୁରେ ଅଗ୍ନିକାଣ୍ଡ, ୧୦ ମୃତ
ବିହାର ମୁଜାଫରପୁର ଜିଲା ପ୍ରସାଦ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ଘଟିଛି ।
ଘଟଣାଟି ରାତ୍ରି ପ୍ରାୟ ୨ଟା ସମୟରେ ଘଟିଥିଲା । ସକାଳ ୧୦ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଭଳି ଆହତ ହୋଇଥିବା ଜଣାପଡ଼ିଛି । ଜଣାପଡ଼ିଛି ଯେ ହସ୍ପିଟାଲର ପ୍ରଥମ ମହଲରେ ଥିବା ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା, ଯାହାଦ୍ୱାରା ରୋଗୀ ତଥା ରୋଗୀଙ୍କ ପରିବାର ଲୋକ ସହଜରେ ତଳକୁ ଆସିପାରି ନଥିଲେ ।
କେତେକ ଦଳଚକଟା ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୂଚନା ପାଇ ଅଗ୍ନିଶମ ବାହିନୀର ବିଶେଷ ଦଳ ପହଂଚି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ବ୍ରହ୍ୱପୁରା ପୁଲିସ ଷ୍ଟେସନରେ ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି, ତେବେ ସମ୍ଭବତଃ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ବୋଲି ଅଗ୍ନିଶମ ବାହିନୀ ମନେ କରୁଛି ।
ଅନେକ ଆହତଙ୍କୁ ଉଦ୍ଧାର କରି ହାସପାତାଳରେ ଭର୍ତି କରାଯାଇଥିବାବେଳେ ୧୦ଜଣଙ୍କ ମୃତ୍ୟୁ ଘଟିଛି, ତେବେ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି ।
ଅନ୍ୟପକ୍ଷରେ ଘଟଣା ପଛରେ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ତାହା ଜାଣିବା ନିମିତ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।