ଗୋଟିଏ ପୋଷ୍ଟ, ସିଏମଓ ଅଫିସରୁ ମିଳିଗଲା ସବୁ ସାହାଯ୍ୟ
ବେଙ୍ଗାଲୁରରୁ ମୃତଦେହ ଆସିଲା ବଲାଙ୍ଗିର
ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଇଜେସନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।
କାରଣ ଯେଉଁ କାମ ଲୋକେ ପାରମ୍ପରିକ ଉପାୟରେ କଲେ ଅଧିକ ସମୟ ଲାଗିଥାଏ ତାହାକୁ ଅନ୍ଲାଇନ ସୋସିଆଲ ମିଡିଆରେ କଲେ ବହୁତ ଅଳ୍ପ ସମୟରେ କରିହେଉଛି ।
ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ବଲାଙ୍ଗିରର ଦେବେନ୍ଦ୍ର ସୁନା ।
ଦେବେନ୍ଦ୍ରଙ୍କ ଘର ବଲାଙ୍ଗିରରେ ହୋଇଥିବାବେଳେ ସେ ବେଙ୍ଗାଲୁରରେ ରହି କାମ କରୁଥିଲେ ।
ସେଠାରେ ସେ ରକ୍ତହୀନତାର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା; ମାତ୍ର ବେଙ୍ଗାଲୁର ହସ୍ପିଟାଲରୁ ବକେୟା ବିଲ ପାଇଁ ଆସିପାରୁନଥିଲା ମୃତଦେହ ।
ସେପଟେ ବିଦେଶରେ ପରଦେଶୀ ଦେବେନ୍ଦ୍ରଙ୍କ କୌଣସି ଚିହ୍ନା ପରିଚୟ ନଥିଲା । ଏହି ସମୟରେ ଦେବଦୂତ ସାଜି ସାମ୍ନାକୁ ଆସିଥିଲେ ସେଠାରେ କାର୍ଯ୍ୟରତ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ଦେବୀ ପ୍ରସାଦ ପତି ।
ସେ ତାଙ୍କ ଏକ୍ସ ପୋଷ୍ଟରେ ଦେବେନ୍ଦ୍ରଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗୁହାରି କରିଥିଲେ ।
ତାଙ୍କର ଗୋଟିଏ ପୋଷ୍ଟ ପରେ ତତତ୍ପର ହୋଇଉଠିଥିଲା ସିଏମଓ ଅଫିସ ।
ଗୁରୁବାର ରାତି ୧୦ଟା ବେଳେ ମଧ୍ୟ ସିଏମଓ ଅଫିସରେ ଦେବେନ୍ଦ୍ରଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା ।
ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ଦେବୀ ପ୍ରସାଦଙ୍କ ଏକ୍ସରେ କରାଯାଇଥିବା ପୋଷ୍ଟକୁ ଦେଖି ସିଏମଓ ଅଫିସ ଦେବେନ୍ଦ୍ରଙ୍କ ମୃତଦେହ ବେଙ୍ଗାଲୁରରୁ ବଲାଙ୍ଗିର ଆଣିବାକୁ ବ୍ୟବସ୍ଥା କରିଛି ।
ରାତାରାତି ବେଙ୍ଗଲୁରୁ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ ରାଜ୍ୟ ସରକାର ।
ରାତି ନ ପାହୁଣୁ ଦେଢ଼ଲକ୍ଷ ଟଙ୍କା ବିଲ୍ ଦେଇଥିଲା ବଲାଙ୍ଗିର ପ୍ରଶାସନ ।
ଦେବେନ୍ଦ୍ରଙ୍କ ମୃତଦେହକୁ ଫେରାଇ ଆଣିବାକୁ ମଧ୍ୟ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା ।