ଇନେ୍ଦାର ଇଭି ସୋ’ରୁମରେ ଅଗ୍ନିକାଣ୍ଡ
ମଧ୍ୟପ୍ରଦେଶର ଇନେ୍ଦାର ସହରସ୍ଥିତ ସ୍କିମ ୧୩୬ ଅଂଚଳରେ ଶୁକ୍ରବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।
ଏକ ବହୁତଳ ଆପାର୍ଟମେଂଟର ବେସମେଂଟ ବା ତଳ ମହଲାରେ ଚାଲୁଥିବା ଏକ ଇଲେକ୍ଟ୍ରୋନିକ୍ସ ଗାଡ଼ି (ଇଭି) ସୋ’ରୁମରେ ନିଆଁ ଲାଗିବା ଫଳରେ ଅଂଚଳରେ ଆତଙ୍କ ଖେଳିଯାଇଛି ।
ନିଆଁ ଲାଗିବା ପରେ ସେଠାରୁ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରିବାଦ୍ୱାରା ସ୍ଥାନୀୟ ଆକାଶକୁ ମେଘୁଆ କରି ପକାଇଛି । ଅଗ୍ନିକାଣ୍ଡ ସମଗ୍ର ଅଟ୍ଟାଳିକାକୁ ଖୁବ କମ ସମୟରେ ଗ୍ରାସ କରିଥିଲା । ଯାହାଦ୍ୱାରା ସେଠାରେ ରହୁଥିବା ୬ଟି ପରିବାର ଫସି ଯାଇଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ବକ୍ତବ୍ୟ ଯେ ଅଗ୍ନିକାଣ୍ଡ ଘଟିବାର ମାତ୍ର କିଛି ମିନିଟ ମଧ୍ୟରେ ପ୍ରବଳ ଧୂଆଁରେ ଅଂଚଳଟି ଆଚ୍ଛାଦିତ ହୋଇପଡ଼ିଥିଲା । ଯାହାଦ୍ୱାରା ଅଂଚଳରେ ଆତଙ୍କ ଖେଳିଯାଇଛି ।
ତେବେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀର ତତ୍ପରତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଅଟ୍ଟାଳିକାରେ ବସବାସ କରୁଥିବା ପରିବାରଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କୌଣସି ମୃତାହତ ଖବର ମିଳିନାହିଁ ।